ହେମା ମାଳିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡର ଆଗଧାଡିର ନାୟିକା ତଥା ରାଜନେତା ହେମା ମାଳିନୀ ବୁଧବାର ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୪୮ମସିହା ଅକ୍ଟୋବର ୧୬ରେ ତାମିଲନାଡୁର ଆମାକୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ। ସେ ତାମିଲ ଚଳଚ୍ଚିତ୍ର ଇଥୁ ସାଥିଆମରୁ ନିଜର ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସପ୍ନୌ କା ଶୌଦାଗର ହିନ୍ଦୀ ସିନେମାରୁ ସେ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କର ଉଚ୍ଚତା ୧.୬୮ମିଟର। ହେମା ୧୯୭୯ମସିହାରେ ବଲିଉଡ ନାୟକ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ପରେ ୧୯୯୯ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଲୋକସଭା ପାଇଁ ନିର୍ବାଚନ ଲଢିଥିଲେ।

pic courtesy-indiatv

ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନିତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି- ଶୋଲେ, ବାଗବାନ୍, ତ୍ରିଶୁଲ, ଜୁଗନୁ, ଜନି ମେରା ନାମ, କ୍ରାନ୍ତି ଭଳି ଅନେକ ଚଳଚ୍ଚିତ୍ର।

୭୧ ବର୍ଷ ବୟସରେ ବି ହେମାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟ୍‌ନେସ ଅକ୍ଷୁଣ୍ଣ ରହିଛି। ଏହାର ପ୍ରମୁଖ କାରଣ ହେଉଛି- ଏକ ନିର୍ଦିଷ୍ଟ ଜୀବନଚର୍ଯ୍ୟାର ପାଳନ ବୋଲି ସେ ପୂର୍ବରୁ କହିଥିଲେ। ସେ ପ୍ରତିଦିନ ୧୦-୧୫ ମିନିଟ ପର୍ଯ୍ୟନ୍ତ ସେ ସାଇକଲ ଚାଳନା କରନ୍ତି। ୪୫ମିନିଟ ଯୋଗ ଓ ପ୍ରାଣାୟାମ ମଧ୍ୟ କରିଥାନ୍ତି। ଏହା ଓଜନ ସଠିକ୍‌ ରଖିବା ସହିତ ନିରୋଗ ରଖେ। ନୃତ୍ୟରେ ନିପୁଣା ହେମା ଏହାକୁ ମଧ୍ୟ ନିଜ ବ୍ୟାୟାମ ତାଲିକାରେ ରଖିଛନ୍ତି। ପ୍ରତିଦିନ କିଛି ସମୟ ସେ ନୃତ୍ୟ ମାଧ୍ୟମରେ ବ୍ୟାୟାମ କରନ୍ତି।

ନିରାମିଷ ଆହାରକୁ ନିଜ ସ୍ବାସ୍ଥ୍ୟର ଏକ ବଡ କାରଣ ବୋଲି ସ୍ବୀକାର କରନ୍ତି ହେମା। ସପ୍ତାହକୁ ଦୁଇଥର ଉପବାସ କରନ୍ତି। ଏହି ସମୟରେ ସେ କେବଳ ଫଳ, ଡ୍ରାଏଫ୍ରୁଟ୍‌ସ ଖାଆନ୍ତି ଏବଂ ଫଳରସ ପିଇଥାନ୍ତି। ଦ୍ବିପ୍ରହର ଖାଦ୍ୟରେ ଦୁଇଟି ରୁଟି, ଏକ ତାଟିଆ ଡାଲି, ଦୁଇପ୍ରକାର ପରିବା ତରକାରି ଏବଂ ଅଳ୍ପ ଭାତ ସହ ଟିକେ ରସମ୍‌ ଖାଆନ୍ତି ହେମା। ଦିନ ଭିତରେ ଦୁଇକପ୍‌ ଗ୍ରୀନ୍‌ ଟି ପିଅନ୍ତି। ରାତି ୮ଟା ପୂର୍ବରୁ ହେମାଙ୍କର ରାତ୍ରିଭୋଜନ ସରିଯାଏ। ଏହାଦ୍ବାରା ଖାଦ୍ୟ ହଜମ ହେବା ଲାଗି ସମ୍ପୂର୍ଣ୍ଣ ସମୟ ମିଳିପାରେ। କୌଣସି ପ୍ରକାର ଜଙ୍କଫୁଡ ଖାଇବା ବଦଳରେ ହାଲ୍‌କା ଭୋକ ଲାଗିବା ସମୟରେ ଫଳ ତଥା ପରିବା ଖାଇଥାନ୍ତି ହେମାମାଳିନୀ। ମୁହଁରେ ଭାରି ମେକଅପ୍‌ ବଦଳରେ ଆରୋମା ତେଲ ଲଗାଇଥାନ୍ତି ଏବଂ ନଡିଆ ତେଲରେ ଅଁଳା, ତୁଳସୀ ଓ ନିମ ତେଲ ମିଶାଇ କେଶ ମାଲିସ୍ କରନ୍ତି। ଦିନସାରା ସେ ପର୍ଯ୍ୟାପ୍ତ ପାଣି ପିଅନ୍ତି। ଫଳରେ ତ୍ବଚା ଉଜ୍ବଳ ଦେଖାଯାଏ। ଅଧିକ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାରିବା ସହଜ ହୁଏ, ତ୍ବଚା ଆର୍ଦ୍ର ଓ ସୁନ୍ଦର ରହେ।

Comments are closed.