ପ୍ରତି ଥାନାରେ ଖୋଲିବ ମହିଳା ହେଲ୍‌ପ ଡେକ୍ସ : ନିର୍ଭୟା ପାଣ୍ଠିରୁ ୧୦୦କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଦେଶର ପ୍ରତିଟି ଥାନାରେ ମହିଳା ହେଲ୍‌ପ ଡେକ୍ସ ଖୋଲିବ। ମହିଳା ହେଲ୍‌ପ ଡେକ୍ସ ଖୋଲିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ନିର୍ଭୟା ପାଣ୍ଠିରୁ ୧୦୦କୋଟି ଟଙ୍କା ମଞ୍ଜୁର କରିଛି। ଏହି ଯୋଜନା ସମସ୍ତ ଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ଥାନାଗୁଡିକୁ ଅଧିକ ମହିଳା ଅନୁକୂଳ କରିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ମହିଳାମାନେ ଥାନାକୁ ଆସି ନିଜର ଅଭିଯୋଗ ଦାୟର କରିବାକୁ ଅଧିକ ସହଜ ଓ ସୁବିଧା ମନେକରିବେ। ଏହିସବୁ ମହିଳା ଡେକ୍ସରେ ମହିଳା ଅଫିସରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏହି ମହିଳା ଅଫିସରମାନେ ମହିଳାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବେ। ଏହା ସହିତ ମହିଳାଙ୍କୁ ଆଇନଗତ ସହାୟତା, ବୁଝାସୁଝା ଓ ଥଇଥାନ ଲାଗି ଓକିଲ, ମନସ୍ତତ୍ତ୍ବବିଦ୍‌ ଓ ଏନଜିଓଙ୍କ ତାଲିକା ହେଲପ୍‌ ଡେକ୍ସରେ ରହିବ। ୨୯୧୩ରେ ନିର୍ଭୟା ପାଣ୍ଠି ଗଠନ କରାଯାଇଥିବାବେଳେ ରାଜ୍ୟ ସରକାରଗୁଡିକ ଏହାକୁ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ନଭେମ୍ବର ୨୯ରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ସିକ୍କିମ, ତ୍ରିପୁରା ଓ ଡାମନ ଡିୟୁ ନିର୍ଭୟା ପାଣ୍ଠିରେ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ କରିନାହାନ୍ତି। ସେହିପରି ଅନ୍ୟ ରାଜ୍ୟଗୁଡିକ ଏହି ପାଣ୍ଠିର ୫୦% ଅର୍ଥ ମଧ୍ୟ ଖର୍ଚ୍ଚ କରିପାରି ନାହାନ୍ତି।

Comments are closed.