ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୭୨ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ଟ୍ରଫ୍ ଲାଇନ ଜାମସେଦପୁରରୁ ବାଲେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିଛି। ଅନ୍ୟ ଏକ ଟ୍ରଫ୍ ଲାଇନ ଓଡ଼ିଶା ଦେଇ ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଓ ଲଘଚାପ ପ୍ରଭାବରେ ଏବେ ବର୍ଷା ପରିମାଣ ବୃଦ୍ଧି ପାଇଥିବା ବେଳେ ଆଉ ୭୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ବଲାଙ୍ଗିର ଜିଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଅଛି। ସେହିପରି ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଗତ ୨୪ ଘଣ୍ଟା ଭିତରେ ମାଲକାନଗିରି ଜିଲାରେ ୧୬୫ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୫୮ ମିମି, କୋରାପୁଟରେ ୫୧. ୮ ମିମି ଓ ନବରଙ୍ଗପୁରରେ ୩୫ ମିମି ବର୍ଷା ହୋଇଛି। ଆସନ୍ତା ତିନିରୁ ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା। ସେହିପରି ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ବର୍ଷା ପରିମାଣ ଅଧିକ ରହିବ ବୋଲି କୁହାଯାଇଛି।

Comments are closed.