ଘାରିଲାଣି ବାତ୍ୟା ଭୟ, ଦୁଇଦିନରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର:  ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ସୋମବାର ସକାଳେ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଘନୀଭୂତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହା ଅଧିକ ତୀବ୍ର ରୂପ ନେବା ସହିତ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ତାହାକୁ ନେଇ ଏବେ ସଂଶୟ ଲାଗିରହିଛି। ଆସନ୍ତା ଦୁଇ ଦିନ ଭିତରେ ଏହା ବାତ୍ୟାରେ ପରିଣତ ହେବ କି ନା ତାହା ସ୍ପଷ୍ଟ ହେବ। ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ରହିବ ନାହିଁ। ତେବେ ଆସନ୍ତା ୮ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ବୃଷ୍ଟିପାତ ପରିମାଣ ବଢ଼ିବ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ୯ତାରିଖରୁ ଅଧିକ ବର୍ଷା ହେବ। ଉପକୂଳ ଅଞ୍ଚଳରେ ପବନର ବେଗ ୬୦କିମିରୁ ଅଧିକ ରହିବ। ପରବର୍ତ୍ତୀ ୨୪ଘଣ୍ଟାରେ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। ସ୍ବତନ୍ତ୍ର ସୂଚନା ଜାରି କରି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚ.ଆର.ବିଶ୍ବାସ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ଫଳରେ ଆସନ୍ତାକାଲିଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଲଘୁଚାପ ଅବପାତ ରୂପ ନେବା ସମୟରେ ଆସନ୍ତା ୭ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୫୦କିମି ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୫ରୁ ପୂର୍ବ କେନ୍ଦ୍ରୀୟ ଏବଂ ୭ରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀ ନଯିବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ପାଣିପାଗ ବିଶେଷଜ୍ଞ ତଥା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତଚନ୍ଦ୍ର ସାହୁ କହିଛନ୍ତି ଯେ ବର୍ତ୍ତମାନର ଜଳବାୟୁ ବାତ୍ୟାକୁ ଆଗକୁ ବଢ଼ିବା ପାଇଁ ସୁହାଉଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ମହା’ ଦୁର୍ବଳ ହେବା ପରେ ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ଅଧିକ ଶକ୍ତିଶାଳୀ ​ହୋଇପାରେ। ତେଣୁ ଏହା ଅବପାତରେ ପରିଣତ ହେବା ପରେ ଆସନ୍ତା ୮ତାରିଖଠାରୁ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ହୋଇପାରେ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ଉପକୂଳ ଜିଲାରେ ଏହାର ପ୍ରଭାବ ଅଧିକ ରହିବ।
ଇଣ୍ଡିଆନ ନାସନାଲ ସେଣ୍ଟର ଫର ଓସନ ଇନଫରମେସନ ସର୍ଭିସ ଇନକଏସ ପକ୍ଷରୁ ଜାରି ହୋଇଥିବା ମଡ଼େଲରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୧୦ କିମ୍ବା ୧୧ତରିଖ ସୁଦ୍ଧା ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି।

Comments are closed.