ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ଓ ବର୍ଷା – ଜୀବନଯାତ୍ରା ବ୍ୟାହତ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ଓ ଭୀଷଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୧୮ ଜଣ ଲୋକଙ୍କର ପ୍ରାଣହାନି ଘଟିଛି। ମୁଖ୍ୟମନ୍ତ୍ରୀ ଜୟିରାମ୍‍ ଠାକୁର ସିମ୍‍ଳାଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତାବେଳେ ଏହି ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବହୁ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସହିତ ଅନେକ ଗଛ ଉପୁଡ଼ି ପଡ଼ିଛି। ଠାକୁର କହିଛନ୍ତି, କେବଳ ସିମ୍‍ଳା ଜିଲ୍ଲାରେ ୮ ଜଣ ଲୋକଙ୍କର ପ୍ରାଣହାନି ଘଟିଛି। ଚମ୍ବା, କୁଲୁ, ସିର୍‍ମୋର୍‍ ଓ ସୋଲାନ୍‍ ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଳାସପୁର, ଲାହୋଲ୍‍ ଓ ସ୍ପିତି ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଡେପୁଟି କମିଶନର୍‍ମାନଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖିବାପାଇଁ ପରାମର୍ଶ ଦିଆଯିବା ସହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କର ନିରାପତ୍ତା ସୁନିଶ୍ଚିତ କରିବାପାଇଁ କୁହାଯାଇଛି। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ଅଧିକାଂଶ ସ୍ଥାନରେ ବ୍ୟାହତ ହୋଇଛି। ଅନେକ ନଦୀ ଓ ଝରଣାରେ ପ୍ରବଳ ବର୍ଷାଯୋଗୁଁ ବନ୍ୟା ଆସିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର କାଶୀ, ଡେରାଡୁନ୍‍, ଚମୋଲି, ପୌରି, ନୈନିତାଲ୍‍ ଓ ପିଥୋରାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପ୍ରଦେଶର ପ୍ରମୁଖ ନଦୀ ଅବବାହିକାରେ ଥିବା ଅଧିକାଂଶ ଅଞ୍ଚଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ପଡ଼ୋଶୀ ରାଜ୍ୟରୁ ନିଷ୍କାସିତ ଜଳ ଓ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଛି। ବଦାୟୁଁ ନିକଟସ୍ଥ କାଛ୍‍ଲା ପୋଲଠାରେ ଗଙ୍ଗାନଦୀର ଜଳ ବିପଦ ସଙ୍କେତ ଉପରେ ରହିଛି। ସେହିପରି ଲଖିମ୍‍ପୁର ଖିରିର ପାଲିଆକାଲା ନିକଟରେ ଶାରଦା ନଦୀ ଓ ବାରବାଙ୍କୀର ଆଲ୍‍ଜିନ୍‍ ପୋଲଠାରେ ଘାଘରା ନଦୀ ବିପଦ ସଙ୍କେତ ଅତିକ୍ରମ କରିଚାଲିଛି। ବୁନ୍ଦେଲ୍‍ଖଣ୍ଡ ଅଞ୍ଚଳରେ ବିଭିନ୍ନ ନଦୀବନ୍ଧରୁ ନିଷ୍କାସିତ ଜଳ ହମିର୍‍ପୁର ଓ ଅନ୍ୟାନ୍ୟ ଜିଲ୍ଲାର ଗ୍ରାମମାନଙ୍କରେ ବନ୍ୟାର ଆଶଙ୍କା ସୃଷ୍ଟି କରିଛି।

Comments are closed.