ଗୁରୁବାରଠାରୁ ଅଧିକ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ମଧ୍ୟପ୍ରଦେଶ ମୁହଁାଇଛି। ଓଡ଼ିଶାରେ ଲଘୁଚାପ ପ୍ରଭାବ କମିଛି। ମାତ୍ର ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୬୮ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଭୁବନେଶ୍ବରରେ ୩୮ ଓ ଅନୁଗୋଳରେ ୩୫ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ବର୍ଷା ପ୍ରକୋପ ସାମାନ୍ୟ କମିବା ସହିତ ୧୨ତାରିଖରୁ ଅଧିକ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି କଟକ, ଅନୁଗୋଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, କେନ୍ଦୁଝର ଆଦି ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସେହିପରି ୧୧ରେ ବରଗଡ଼, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଆଦି ଜିଲାର କିଛି ସ୍ଥାନରେ ବର୍ଷା ହେବ। ୧୨ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଆଦି ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୧୩ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଜଗତସିଂହପୁର ଓ ପୁରୀରେ ମଧ୍ୟ ‌ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Leave A Reply