ବୁଡ଼ାଇଲା ଲଘୁଚାପ

0

ଭୁବନେଶ୍ୱର: ଦୁର୍ବଳ ଥିବା ମୌସୁମି ଲଘୁଚାପ ପ୍ରଭାବରେ ସକ୍ରିୟ ହୋଇଛି। ଗତ ୪୮ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, ଗଜପତି, ରାୟଗଡ଼ା ଆଦି ଜିଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ଗତ ରାତିରୁ ମୁଷଳ ଧାରାରେ ବର୍ଷା ସହରର ଅଧିକାଂଶ ଅଞ୍ଚଳ ବୁଡ଼ାଇ ଦେଇଛି। ଦୁଇ ସହର ଜଳମଗ୍ନ ହେବା ସହିତ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାରେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ଫଳରେ ଗତ ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହୋଇଛି। ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ମୌସୁମି ସକ୍ରିୟ ଥିବାବେଳେ ଆଗାମୀ ୨୪ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି।
ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀଭୂତ ଲଘୁଚାପ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ଦିଗରେ
ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା, ପୁରୀ ଓ ଖୋର୍ଦ୍ଧା ଜିଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା ସମ୍ବଲପୁର, ଢ଼େଙ୍କାନାଳ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ ଅନୁଗୋଳ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ, ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ଘଣ୍ଟା ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହୋଇଛି। ଗତ ୧୫ ଓ ୧୬ତାରିଖରେ ହାରାହାରି ବୃଷ୍ଟିପାତ ଯଥାକ୍ରମେ ୩୩.୯ ଓ ୪୧.୮ମିମି ହୋଇଥିବା ଜଣାପଡ଼ିଛି। ଉଭୟ ଦିନରେ ୧୨ଟି ଜିଲାରେ ବୃଷ୍ଟିପାତ ହାର ୫୦ମିମିରୁ ଅଧିକ ଥିବାବେଳେ ୮ଟି ଜିଲାରେ ୧୦୦ମିମି ଟପିଛି। କଳାହାଣ୍ଡିରେ ସର୍ବାଧିକ ୨୦୪.୫ ମିମି ବର୍ଷା ହୋଇଥିବାବେଳେ ଏହି ଜିଲାର ଭବାନିପାଟଣା ବ୍ଲକରେ ରାଜ୍ୟର ସବୁଠୁ ଅଧିକ ୨୯୭ ମିମି ବର୍ଷା ରେକର୍ଡ଼ କରାଯାଇଛି।
ପୁରୀ ଜିଲାରେ ୧୯୧.୩, ରାୟଗଡ଼ାରେ ୧୫୫.୨, ଗଞ୍ଜାମରେ ୧୩୩.୩, ଜଗତସିଂହପୁରରେ ୧୧୭, ନୂଆପଡ଼ାରେ୧୧୫.୯, ଖୋର୍ଦ୍ଧାରେ୧୧୫.୫, ବଲାଙ୍ଗିରରେ୧୦୫.୬, ବରଗଡ଼ରେ୮୪, ଗଜପତିରେ ୭୫.୩, ନବରଙ୍ଗପୁରରେ ୭୦.୩ ଏବଂ ନୟାଗଡ଼ରେ ୬୮.୬ମିମି ବର୍ଷା ହୋଇଛି।
ଗତ ୧୫ ତାରିଖରେ ରାଜ୍ୟର ୨୫ଟି ବ୍ଳକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଥିବାବେଳେ ଗଞ୍ଜାମ ଜିଲାର ପୋଲସରା ବ୍ଳକରେ ସର୍ବାଧିକ ୨୧୨ମିମି ବର୍ଷା ରେକର୍ଡ଼ ହୋଇଥିଲା।
ସେହିପରି ସୋମବାର ୩୧ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଜିଲାର ଭବାନିପାଟଣା ବ୍ଳକରେ ସର୍ବାଧିକ ୨୯୭ମିମି ବର୍ଷା ହୋଇଛି। ଏହି ଜିଲାର ଅନ୍ୟ ୪ଟି ବ୍ଳକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଥୁଆମୂଳ ରାମପୁରରେ ୨୫୨ମିମି, ନର୍ଲାରେ୨୪୫, କୋକସରାରେ ୨୪୮, କଲମପୁରରେ ୨୩୦.୩ମିମି ବର୍ଷା ହୋଇଛି।
ବଂଶଧାରା ନଦୀ ରାୟଗଡ଼ା ଜିଲାର ଗୁଣୁପୁରଠାରେ ଏବଂ ଗଜପତି ଜିଲାର କାଶୀନଗରଠାରେ ଗତକାଲି ବିପଦସଙ୍କେତ ଅତିକ୍ରମ କରିଥିଲା। ଏବେ ଜଳସ୍ତର କମିବା ସହି ବିପଦସଙ୍କେତ ଦଳେ ପ୍ରବାହିତ ହେଉଛି। ରାଜ୍ୟର କୌଣସି ନଦୀରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।

Leave A Reply