ରାହୁଲ, ସୋନିଆଙ୍କ ଏସପିସି ସୁରକ୍ଷା ପ୍ରତ୍ୟାହାରକୁ ନେଇ ଲୋକସଭାରେ କଂଗ୍ରେସର ହଙ୍ଗାମା

ଜେଏନୟୁ ଓ କାଶ୍ମୀର ପ୍ରସଙ୍ଗରେ ଅପରାହ୍ନ ୨ଟା ଯାଏ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ୨ୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟସଭାରେ ଜେଏନୟୁ ଏବଂ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା। ଫଳରେ ଗୃହର ଅଧ୍ୟକ୍ଷ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ସେହିପରି ଲୋକସଭାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଏସପିସି ସୁରକ୍ଷା ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗାମା କରିଥିଲା। କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଲୋକସଭାରେ କୃଷକଙ୍କ ଆୟ, କାଶ୍ମୀରରେ ନେତାଙ୍କୁ ଗୃହବନ୍ଦୀ କରି ରଖିବା ଏବଂ ଜେଏନୟୁ ପ୍ରସଙ୍ଗ ମଧ୍ୟ ଉଠିଥିଲା। ବିରୋଧୀମାନେ କୃଷକଙ୍କ ଆୟ ପ୍ରସଙ୍ଗକୁ ନେଇ ସରକାର ଏକଚ୍ଛତ୍ରବାଦ ଶାସନ ବନ୍ଦ କରନ୍ତୁ ବୋଲି ନାରାବାଜି କରିଥିଲେ।

ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ସଦସ୍ୟମାନେ ଜେଏନୟୁ ଛାତ୍ରଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ସେହିପରି ଜାମ୍ମୁ-କାଶ୍ମୀରରେ କଟକଣାକୁ ନେଇ ବିଭିନ୍ନ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗୃହର ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଅପରାହ୍ନ ୨ଟା ଯାଏ ମୁଲତବୀ କରିଦେଇଥିଲେ।

Comments are closed.