ଅସମ୍ଭାଳ ତାତି : ୪୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସମଗ୍ର ରାଜ୍ୟ। ଦୁଇଟି ସହରରେ ପାରଦ ୪୩ ଡିଗ୍ରୀ ଛୁଇଁଛି। ଗତକାଲି ଭଳି ଆଜି ୯ଟି ସହରରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୩.୧ ଡିଗ୍ରୀ ସେଲସିୟସ୍ ସହିତ ତାଳଚେର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଟିଟିଲାଗଡ଼ରେ ତାତି ୪୩ ଡିଗ୍ରୀରେ ପହଞ୍ଚିଥିଲା। ବର୍ଷାର ସମ୍ଭାବନା ନଥିବା ବେଳେ ଆଗକୁ ଗରମ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ଆଜି ଅନୁଗୋଳରେ ୪୨.୭ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ବଲାଙ୍ଗୀରରେ ୪୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୯ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୩୯.୫ ଡିଗ୍ରୀ ଥିଲା। ଆଉ କିଛିଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ। ଅପରାହ୍ନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ତଥାପି ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ଯାଜପୁର, ଭଦ୍ରକ,​‌ ଢ଼େଙ୍କାନାଳ ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବୃଷ୍ଟିପାତର ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ କାର୍ଯ୍ୟାଳୟ।

Comments are closed.