ସୁସ୍ଥତା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି

ଶରୀର ଓ ମନ-ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି। ତେଣୁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ପରିଷ୍କାର ପାନୀୟ, ଶୁଦ୍ଧ ପରିବେଶ, ଗୃହ ତଥା ଶଯ୍ୟା ଓ ବସ୍ତ୍ର ପ୍ରଭୃତିର ପରିଚ୍ଛନ୍ନତା ନିତାନ୍ତ ପ୍ରୟୋଜନ।

ନିୟମିତ ଜୀବନଚର୍ୟ୍ୟା ଆଉ ଏକ ବଡ଼ କଥା। ଖାଦ୍ୟ ଓ ପାନୀୟ ଦୃଷ୍ଟିରୁ ତିନୋଟି ଶୁଦ୍ଧତା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ। ଖାଦ୍ୟର ପ୍ରକାର ଓ ପରିମାଣ ଆଉ ଏକ ବିଚାର୍ୟ୍ୟ ବିଷୟ। ଖାଦ୍ୟ ସାତ୍ତ୍ୱିକ ହେବା ବିଧେୟ। ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ। ରାଜସିକ ଓ ତାମସିକ ଖାଦ୍ୟ ଦେହ ତଥା ମନ ପ୍ରତି ଭଲ ନୁହେଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନିରାମିଷ ଭୋଜନ କରୁଥିବା ଲୋକମାନେ ନିରୋଗୀ ଓ ଦୀର୍ଘାୟୁ ବୋଲି ମତବ୍ୟକ୍ତ କରିଛନ୍ତି। ଏଠାରେ ପରିମାଣ କଥା ଭୁଲିଗଲେ ହେବ ନାହିଁ। ସାତ୍ତ୍ୱିକ ଖାଦ୍ୟ ହେଲେ ବି ଯଦି ଅଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ତାହା ତାମସିକତା ବା ଆଳସ୍ୟ ଭାବ ସୃଷ୍ଟି କରିଥାଏ। ତେଣୁ ମିତାହାର ଭୋଜନ କରିବା ସବୁବେଳେ ଭଲ।

ମିତାହାରକୁ ଭଲ ଭାବେ ବୁଝାଇ କୁହାଯାଇଛିି ଯେ, ପାକସ୍ଥଳୀର ଶତକଡ଼ା ପଚାଶ ଭାଗ ଖାଦ୍ୟରେ ପୂରଣ କରିବା ଉଚିତ୍‍, ଶତକଡ଼ା ପଚିଶ ଭାଗ ଜଳ ପାଇଁ ଓ ଶତକଡ଼ା ପଚିଶ ଭାଗ ପବନ ପାଇଁ ରଖାଯିବା ଉଚିତ। ଯେତେବେଳେ ଖାଇବ ଅଧାପେଟ ତାହା ମଣିଷକୁ କାର୍ୟ୍ୟକ୍ଷମ ରଖେ। ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଖାଦ୍ୟ ଗ୍ରହଣ କରାଗଲେ ସର୍ବୋତ୍ତମ ଫଳ ମିଳିଥାଏ।

ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଓ ସର୍ବୋପରି ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ସଠିକ୍‍ ପ୍ରକାର ଓ ସଠିକ୍‍ ଭାବର ସହ ଖାଦ୍ୟ ଗ୍ରହଣ କରିବା କେତେ ବେଶୀ ତାତ୍ପର୍ୟ୍ୟପୂର୍ଣ୍ଣ ତାହା ସମସ୍ତଙ୍କର ଅନୁଧ୍ୟାନର ବିଷୟ। ସୁସ୍ଥ ଶରୀର ଓ ସୁସ୍ଥ ମନ ଉନ୍ନତ ବିଚାରର ଜନକ ଓ ଉନ୍ନତ ବିଚାର ବିବେକର ସମର୍ଥକ। ବିବେକାନୁମୋଦିତ ଜୀବନ ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ।

ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା ପାଇଁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ମାନସିକ ସ୍ୱାସ୍ଥ୍ୟ ନିମିତ୍ତତ୍ତ ଆବଶ୍ୟକୀୟ ମନ୍ଦିର, ମଠ, ମସଜିଦ୍‍ ଓ ଗୀର୍ଜାମାନଙ୍କରେ ସଦ୍‍ଗୁରୁ, ସତ୍‍ଦୀକ୍ଷା ଓ ସତ୍‍ସଙ୍ଗର ପ୍ରଭୂତ ଆବଶ୍ୟକତା ରହିଛି। ତେବେ ଅନେକକ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ସ୍ୱାସ୍ଥ୍ୟହାନିର କାରଣ ହୋଇଥାନ୍ତି। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କ୍ଷେତ୍ର ଠାରୁ ଆଧ୍ୟାତ୍ମିକ ନିରାମୟ ଜୀବନ ଗଠନ ପାଇଁ ନିଜ ଦାୟିତ୍ୱ ପ୍ରତି ସଚେତନ ରହିବାର ଉପଯୁକ୍ତ ଦିବସ।

Comments
Loading...