ଆଜି ଘରୋଇ ହସ୍ପିଟାଲ ବନ୍ଦ: ନୂଆରୋଗୀଙ୍କୁ ମିଳିବନି ଚିକିତ୍ସା

0

ଭୁବନେଶ୍ୱର: ଓଡ଼ିଶାର ଘରୋଇ ହସ୍ପିଟାଲ ଓ ଡାଏଗ୍ନୋଷ୍ଟିକ୍‍ ସେଣ୍ଟର ପ୍ରତି ଓଡ଼ିଶା ସରକାରଙ୍କ କଠୋର ଓ ବୈମାତୃକ ମନୋଭାବ ବିରୋଧରେ ଶୁକ୍ରବାର ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ଡାକରା ଦେଇଛି। ପାଖାପାଖି ୨୦୦୦ରୁ ଊର୍ଦ୍ଧ୍ବ ଘରୋଇ ହସ୍ପିଟାଲ ଏବଂ ବିଭିନ୍ନ କେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ପୂର୍ବରୁ ଶର୍ୟ୍ୟାଶାୟୀ ଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହାବ୍ୟତୀତ ନୂଆ ରୋଗୀଙ୍କୁ ଘରୋଇ ଚିକିତ୍ସାଳୟରେ ସୁବିଧା ମିଳିବନି। ତେବେ ଘରୋଇ ହସ୍ପିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୮୦ ପ୍ରତିଶତ ସେବା ଯୋଗାଉଥିବାବେଳେ ଆସନ୍ତାକାଲି ବନ୍ଦ ନେଇ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଦୀର୍ଘଦିନ ଧରି ସ୍ୱର ଉଠାଇବା ପରେ ‘ଅଲ୍‍ ଓଡ଼ିଶା ପ୍ରାଇଭେଟ୍‍ ମେଡିକାଲ୍‍ ଏଷ୍ଟାବ୍ଲିସ୍‍ମେଣ୍ଟ୍‍ ଫୋରମ୍‍’ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ମାଷ୍ଟରକ୍ୟାଣ୍ଟିନରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‍ଜିରେ ଏକ ସଭା କରାଯିବା ସହିତ ଆସନ୍ତା କାର୍ୟ୍ୟକ୍ରମ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହାକୁ ଦୃଷ୍ଟିରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡ. ବ୍ରଜ କିଶୋର ବ୍ରହ୍ମା କହିଛନ୍ତି ଯେ ଏନେଇ କୌଣସି ଫରକ ପଡିବନି। ତେବେ ରାଜ୍ୟର ସମସ୍ତ ସରକାରୀ କଲେଜ ଓ ହସ୍ପିଟାଲକୁ
ଏଦିଗରେ ସଚେତନ ରହିବା ସହିତ ଜରୁରୀକାଳୀନ ସେବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ରୋଗୀମାନେ ଯେପରି କୌଣସି ସମସ୍ୟାରେ ନପଡ଼ିବେ ସେନେଇ ନିର୍ଦେଶ ଦିଆଯାଇଛି।
ଗତକାଲି ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ନେଇ ପୂର୍ବରୁ ଗଣମାଧ୍ୟମ ଜରିଆରେ ଫୋରମ ପକ୍ଷରୁ କୁହାଯାଇଥିବାବେଳେ ଏପର୍ୟ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ କି ଆଲୋଚନା ପାଇଁ ଡକାଗଲା ନାହିଁ ବୋଲି ଫୋରମ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ଫୋରମ୍‍ର ସଭାପତି ଡାକ୍ତର ଅଜୟ ମିଶ୍ର କହିଛନ୍ତି, ରାଜ୍ୟ ସରକାର ୨୦୧୬ରୁ ପରିବର୍ତ୍ତିତ କ୍ଲିନିକାଲ୍‍ ଏଷ୍ଟାବ୍ଲିସ୍‍ମେଣ୍ଟ ରୁଲ୍‍ ଆଣିଥିଲେ ମଧ୍ୟ ତାହା ଏଯାବତ୍‍ କାର୍ୟ୍ୟକାରୀ ହୋଇପାରିନାହିଁ। ପୁଣି ସେଥିରେ ଯେଉଁ ସବୁ କଠୋର ନିୟମ ଅନ୍ତର୍ଭୁକ୍ତ କଲେ ତାହା ସମସ୍ତ ଘରୋଇ ମେଡିକାଲ୍‍ ଏବଂ ଡାଏଗ୍ନୋଷ୍ଟିକ୍‍ କେନ୍ଦ୍ର ପାଇଁ ସମସ୍ୟା ହୋଇଛି। ପଞ୍ଜୀକରଣଠୁ ନେଇ ନବୀକରଣ ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ। ଦେଶରେ ସବୁ ରାଜ୍ୟରେ ଚିକିତ୍ସାରତ ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ପାଇଁ ଆଇନ୍‍ ଥିଲେ ହେଁ ଓଡ଼ିଶାରେ ଏହା କେବଳ ସରକାରୀ ଡାକ୍ତରଖାନା ମଧ୍ୟରେ ସୀମିତ ରହିଛି। ଏନେଇ ସରକାରଙ୍କୁ ଲିଖିତ ଭାବେ ବାରମ୍ବାର ଅବଗତ କରାଯିବା ସହ ଆଲୋଚନା କରାଯାଇଛି। ଗତ ମାର୍ଚ୍ଚ ୨୨ ତାରିଖରେ ମଧ୍ୟ ଏନେଇ ସରକାରଙ୍କୁ ଦାବିପତ୍ର ଦିଆଯାଇଛି। କିନ୍ତୁ ସରକାରଙ୍କ ତରଫରୁ ଏହାର ସମାଧାନ ଦିଗରେ କୌଣସି ଠୋସ୍‍ ପଦକ୍ଷେପ ନିଆଗଲା ନାହିଁ। ତେଣୁ ସରକାରଙ୍କ ଏହି କଠୋର ଓ ପ୍ରତିକୂଳ ନିୟମ ବିରୋଧରେ ଓଡ଼ିଶାର ସମସ୍ତ ଘରୋଇ ହସ୍ପିଟାଲ୍‍, ନର୍ସିଂହୋମ୍‍ ଓ ଡାଏଗ୍ନୋଷ୍ଟିକ୍‍ କେନ୍ଦ୍ରଗୁଡ଼ିକ ସହଯୋଗ କରିବା ସହିତ ଏହି ବନ୍ଦରେ ସାମିଲ ହେବେ।

Leave A Reply