ତାରକ୍‍ ମେହତା…ର ‘ହାତୀ ଭାଇ’ଙ୍କ ପରଲୋକ

0

ମୁମ୍ବାଇ : ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହତା କା ଉଲ୍‍ଟା ଚଷମା’ରେ ଡା. ହଂସରାଜ ହାତୀ ବା ‘ହାତୀ ଭାଇ’ ଭାବେ ପରିଚିତ ପ୍ରସିଦ୍ଧ ହାସ୍ୟାଭିନେତା କବି କୁମାର ଆଜାଦଙ୍କର ସୋମବାର ପୂର୍ବାହ୍ଣରେ ପରଲୋକ ଘଟିଛି। ରବିବାର ରାତିରେ ସେ ହୃଦ୍‍ଘାତର ଶିକାର ହୋଇ ସ୍ଥାନୀୟ ମୀରା ରୋଡ୍‍ସ୍ଥିତ ଓକ୍‍ହାର୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବାବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତିନି ଦିନ ହେଲା ସେ ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ ଧାରାବାହିକ କାର୍ଯ୍ୟ ବନ୍ଦ କରିନଥିଲେ। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ‘ତାରକ୍‍ ମେହତା କା ଉଲ୍‍ଟା ଚଷମା’ରେ ସେ ୨୦୦୯ରୁ ଅଭିନୟ କରିଆସୁଥିଲେ। ଏହାଛଡ଼ା ସେ ୨୦୦୦ରେ ଅମୀର ଖାଁଙ୍କ ମେଳା’ ଓ ୨୦୦୩ରେ ପରେଶ ରାୱଲ ଅଭିନିତ ‘ଫଣ୍ଟୁସ୍‍’(ଫନ୍‍୨ସ୍‍) ଭଳି କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ସେ ଖୁବ୍‍ ଲୋକପ୍ରିୟ ଥିଲେ। ତାଙ୍କ ମୃତ୍ୟୁରେ ସୋମବାର ସମସ୍ତ ସୁଟିଂ କାର୍ଯ୍ୟ ବନ୍ଦ ରଖାଯାଇଥିବା କହିଛନ୍ତି ଧାରାବାହିକ ପ୍ରଯୋଜକ ଅସୀତ କୁମାର ମୋଦୀ। କବିଙ୍କ ପିତା-ମାତା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲକ୍ଷ୍ନୌ ଯାଇଥିଲେ। ସେମାନେ ତୁରନ୍ତ ମୁମ୍ବଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। କବି କୁମାର ୧୯୭୩ ଜାନୁଆରୀ ୨ରେ ବିହାରର ଭୋଜପୁରଠାରେ ଜନ୍ମ ଗ୍ରହଣ କରିଥିଲେ। ପରେ ପରିବାର ସହ ମୁମ୍ବଇ ଚାଲିଆସିଥିଲେ। ସେ ଏକାଧାରାରେ ଜଣେ ଲେଖକ, କବି ଓ ପ୍ରଯେକ ଭାବେ ସେ ଜଣାଶୁଣା। ତାଙ୍କ ପତ୍ନୀ ନେହା ଦେବୀ ଓ ଦୁଇ ସନ୍ତାନ ଅଛନ୍ତି। ତାଙ୍କ ଶରୀରର ଓଜନ ପ୍ରାୟ ଦୁଇ କ୍ୱିଣ୍ଟାଲ ଥିଲା। ସେ ଡାଇବେଟିସ୍‍ ଓ ଉଚ୍ଚ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ତାରକ୍‍ ମେହତା… ଧାରାବାହିକ ଗତ ଜୁନ୍‍ ୨୮ରେ ସର୍ବାଧିକ କାଳ ପ୍ରସାରିତ ହେବା ଯୋଗୁଁ ଗିନିସ୍‍ ବୁକ୍‍ ରେକର୍ଡରେ ସ୍ଥାନ ପାଇଛି। ଅଦ୍ୟାବଧି ଏହାର ୫ହଜାର ଭାଗ ପ୍ରସାରଣ ହୋଇସାରିଲାଣି। ଗତ ବର୍ଷ ମାର୍ଚ୍ଚ ୧ରେ ଏହି ଧାରାବାହିକର ସ୍ରଷ୍ଟା ତଥା କାହାଣୀ ଲେଖକ ପଦ୍ମଶ୍ରୀ ତାରକ ମେହତାଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଥିଲା।

Leave A Reply