ଲୁଙ୍ଗି ପିନ୍ଧିଥିବାରୁ ଆକ୍ରମଣ

0

ଭଦୋଦରା: ଗୁଜରାଟରେ ପୁଣି ବିଦ୍ୱେଷ ଜନିତ ହିଂସାର ଝଲକ ଦେଖିବାକୁ ମିଳିଛି। ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କୁ ଗୁଜରାଟରେ ଲଗାତାର ଆକ୍ରମଣ ଓ ବିଦ୍ୱେଷର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ହିଂସା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଣାଯାଇପାରିଛି ବୋଲି ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ କହୁଥିଲେ ହେଁ ଗତ ସୋମବାର ଦିନ ପୁଣି ତାହାର ପୁନରାବୃତ୍ତି ଘଟିଛି। ଲୁଙ୍ଗି ପିନ୍ଧିଥିବାରୁ ବିହାରର ମଧୁବନ ଜିଲା ନିବାସୀ ଶତୃଘ୍ନ ଯାଦବ ନାମକ ଜଣେ ଯନ୍ତ୍ରୀ ଓ ୬ ଜଣ ପାଇପ୍‍ ମିସ୍ତ୍ରୀଙ୍କୁ ଗୁଜରାଟରେ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ଅପରପକ୍ଷରେ ପୁଲିସ ଏହାକୁ ବିଦ୍ୱେଷ ହିଂସା ନୁହେଁ ବୋଲି କହିିଛି।
ପୀଡ଼ିତଙ୍କ ଅଭିଯୋଗ ଅନୁଯାୟୀ, ଭଦୋଦରା ମ୍ୟୁନିସିପାଲ୍‍ କର୍ପୋରେସନ୍‍ ଅଧୀନସ୍ଥ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ ସ୍ଥଳରେ ଥିବା ବେଳେ ଚାରି ଜଣ ଯୁବକ ଆସି ସେମାନଙ୍କୁ କେଉଁଠାରୁ ଆସିଛନ୍ତି ବୋଲି ପଚାରିଥିଲେ। ପରିଚୟ ଦେବା ପରେ ସେମାନେ ପାଟିତୁଣ୍ଡ ଆରମ୍ଭ କରିଥିଲେ। ଶ୍ରୀ ଯାଦବ ଆପତ୍ତି କରିବାରୁ ସେମାନେ ଆକ୍ରମଣ କରିଥିଲେ। ଏଥିରେ ଯାଦବଙ୍କ ସମେତ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଶ୍ରୀ ଯାଦବଙ୍କ ଫୋନ କଲ ପାଇବା ପରେ ପୁଲିସ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା କହିଛି। ପିସିଆର ଭ୍ୟାନ୍‍ ପହଞ୍ଚିବା ଦେଖି ଅନ୍ୟ ତିନି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଯିବା ପୂର୍ବରୁ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ସେମାନେ ପୀଡ଼ିତମାନଙ୍କୁ ଧମକ ଦେଇଥିଲେ। ଏହାପରେ ଶ୍ରୀ ଯାଦବ ସମା ଥାନାରେ ଅଭିଯୋଗ କରିଥିଲେ। ସେଠାରୁ ଫେରିବା ପରେ ଶ୍ରୀ ଯାଦବଙ୍କ ମୋଟରସାଇକଲ୍‍ ଓ ଦୁଇଟି ପ୍ଲାଷ୍ଟିକ ଚେୟାର ଭଙ୍ଗାରୁଜା ହୋଇଥିବା ଦେଖାଯାଇଥିଲା। ଘଟଣା ପରେ ସମ୍ପୃକ୍ତ ଠିକାଦାର ମୟୂର ପଟେଲ୍‍ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ କେହି ଲୁଙ୍ଗି ପିନ୍ଧନ୍ତି ତାହିଁ। ଯନ୍ତ୍ରୀ ଓ ଶ୍ରମିକମାନେ ଲୁଙ୍ଗି ପିନ୍ଧିଥିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସେ କହିଛନ୍ତି। ଅପରପକ୍ଷରେ ଦୁର୍ବୃତ୍ତମାନେ ଯିବା ପୂର୍ବରୁ ନିର୍ମାଣାଧୀନ କୋଠାର ଉପର ମହଲାରେ ବିଶ୍ରାମ ନେଉଥିବା ୩୦ ରୁ ୪୦ ଜଣ ଶ୍ରମିକଙ୍କୁ ଯଥାଶ୍ରୀଘ୍ର ଚାଲିଯିବା ପାଇଁ କହିଥିଲେ। ଯଦି ସେମାନେ ନିର୍ଦେଶ ନ ମାନନ୍ତି ତେବେ ଜୀଅନ୍ତା ଜାଳି ଦିଆଯିବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି।

Leave A Reply