ପିଡିପିକୁ ଝଟ୍‌କା : ଦଳ ଛାଡିଲେ ହସିବ୍‌ ଦ୍ରବୁ

0

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏଠାରେ ପିଡିପିକୁ ପୁଣି ଏକ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ହସିବ୍‌ ଦ୍ରବୁ ଇସ୍ତଫା ଦେଇଛନ୍ତି। ସେ ନିଜର ଟ୍ଵିଟରରେ ଇସ୍ତଫା ଘୋଷଣା କରିଛନ୍ତି। ଗତ ନଭେମ୍ବର ୨୧ ତାରିଖରେ ଇମରାନ୍‌ ଅନ୍‌ସାରି ପିଡିପି ଛାଡ଼ିଥିଲେ। ଏବେ ହସିବ୍‌ ଦ୍ରବୁ ପିଡିପି ଛାଡିବା ପରେ ଦଳ ଭିତରେ ଭୂକମ୍ପ ସୃଷ୍ଟି ହୋଇଛି।

ସେ ନିଜର ଇସ୍ତଫା ପତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟଦ୍‌ଙ୍କୁ ମନେ ପକାଇ ଲେଖିଛନ୍ତି ଯେ ମୁଫ୍‌ତି ତାଙ୍କୁ ରାଜନୀତିକୁ ଆଣିଥିଲେ। ସେ ହିଁ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। ହସିନ୍‌ ଦ୍ରବୁ ଭାଜପା ଓ ପିଡିପି ମେଣ୍ଟ ଗଠନରେ ମୁଖ୍ୟ ଭୂମିକା ତୁଲାଇ ଥିଲେ । ସେ ହିଁ ଉଭୟ ଦଳ ଭିତରେ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଓ ସୁରୁଖୁରୁରେ ମେଣ୍ଟ ସରକାର ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଦ୍ରବୁ ଜଣେ ଅର୍ଥନୀତିଜ୍ଞ ଭାବେ ବେଶ୍‌ ପରିଚିତ । ରାଜନୀତିରେ ଯୋଗ ଦେବା ଆଗରୁ ସେ ଏକ ଦୈନିକ ବ୍ୟବସାୟିକ ଖବର କାଗଜର ସଂପାଦକ ଥିଲେ।

Leave A Reply