ଶନିବାର ହନୁମାନଙ୍କୁ ପୂଜା କରିବାର କାରଣ ?

ମାନ୍ୟତା ଅନୁଯାୟୀ ଆଜି ବି ରାମ ଭକ୍ତ ହନୁମାନ ଧରାପୃଷ୍ଠରେ ବିଚରଣ କରନ୍ତି । ଭଗବାନ ହନୁମାନ ହେଉଛନ୍ତି କଳିଯୁଗରେ ଏକମାତ୍ର ଜୀବିତ ଦେବତା । କୁହାଯାଏ ଭଗବାନ ହନୁମାନ ବହୁତ ଶୀଘ୍ର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି । ଯେଉଁ ଭକ୍ତ ସ୍ବଚ୍ଛ ମନରେ ହନୁମାନଙ୍କ ପୂଜା-ଅର୍ଚ୍ଚନା କରିବା ସହ ସ୍ମରଣ କରେ, ଯଥାଶୀଘ୍ର ସେହି ବ୍ୟକ୍ତିର ମନୋସ୍କାମନା ପୂରଣ ହୋଇଥାଏ । ଏହା ସହ ସଙ୍କଟମୋଚନ ନାମ ଜପ କରିବା ଦ୍ବାରା ସବୁ ସଙ୍କଟ ଦୂର ହୁଏ ।

ଖରାପ ସମୟରେ ହନୁମାନଙ୍କ ନାମ ଜପ କରିବା ଦ୍ବାରା ସବୁ ସମସ୍ୟା ଦୂର ହୁଏ । ଯେଉଁ ଭକ୍ତ ନିୟମିତ ହନୁମାନ ଚାଲିଶା ପାଠ କରନ୍ତି, ତା’ ଉପରେ ବଜରଙ୍ଗବାଲିଙ୍କ କୃପା ସର୍ବଦା ରହିଥାଏ । ହନୁମାନ ଚାଳିଶାରେ ଏକ ବିଶେଷ ଶକ୍ତି ରହିଛି । ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଓ ଶୁଣିବା ଦ୍ବାରା ବୁଦ୍ଧି ଓ ବିଦ୍ୟା ଜାଗୃତ ହୋଇଥିାଏ । ଯେଉଁ ଭକ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ଭଗବାନ ହନୁମାନଙ୍କ ବିଶେଷ ପୂଜା ଓ ଆରାଧନା କରେ, ସେହି ବ୍ୟକ୍ତି ହନୁମାନଙ୍କ କୃପା ସର୍ବଦା ଲାଭ କରିଥାଏ ।

ମଙ୍ଗଳବାର ବ୍ୟତିତ ଶନିବାର ଦିନ ମଧ୍ୟ ବଜରଙ୍ଗବାଲୀଙ୍କୁ ପୂଜା କରାଯାଏ । ଏହାର କାରଣ ହେଉଛି, ପୌରାଣିକ ବିଷୟବସ୍ତୁ ଅନୁଯାୟୀ ବଜରଙ୍ଗବାଲୀ ଶନିଦେବତାଙ୍କୁ ଏକ ଯୁଦ୍ଧରେ ପରାସ୍ତ କରିଥିଲେ । ସେହି ଦିନ ଶନିଦେବ ବଜରଙ୍ଗବାଲୀଙ୍କୁ ଆର୍ଶିବାଦ ଦେଇଥିଲ ଯେ, ଯେଉଁ ବ୍ୟକ୍ତି ଶନିବାର ଦିନ ହନୁମାନଙ୍କୁ ପୂଜା କରିବ ସେହି ବ୍ୟକ୍ତି ଉପରେ କଦାପି ଶନିକୋପ ପଡିବ ନାହିଁ । ତେଣୁ ଶନିବାର ଦିନ ବଜରଙ୍ଗବାଲୀଙ୍କ ଦର୍ଶନ କରାଯାଏ ।

ଭଗବାନ ହନୁମାନଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର କଲେ ସୁଖ, ସମୃଦ୍ଧି, ବୈଭବ ଓ ଉନ୍ନତି ଲାଭ ହୋଇଥାଏ । ଯେଉଁ ଘରେ ନିୟମତି ଭାବରେ ହନୁମାନ ଚାଲିଶା, ବଜରଙ୍ଗ ବାଣ, ସୁନ୍ଦରକାଣ୍ଡ ଓ ରାମଚରିତମାନସ ପାଠ କରାଯାଏ, ସେହି ଘରର ସଦସ୍ୟମାନଙ୍କ ଉପରେ ସର୍ବଦା ହନୁମାନଙ୍କ କୃପା ରହିଥାଏ ।

Comments are closed.