ବିଦ୍ରୋହ ଦମନ ପାଇଁ ହଂକଂରେ ଚୀନ୍‌ ସେନା

ହଂକଂ : ଏଠାରେ ଦୀର୍ଘ ୫ ମାସ ଧରି ଚାଲିଥିବା ଗଣତନ୍ତ୍ରସପକ୍ଷବାଦୀ ଆନ୍ଦୋଳନରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିଛି ଚୀନ୍‌। ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି ଶନିବାର ଏହି ଆନ୍ଦୋଳନ ଦମନ ପାଇଁ ହଂକଂର କୋଲୁନ୍‌ ତଙ୍ଗଠାରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଚୀନ୍‌ ସେନା ଚତୁରତାର ସହ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆଉ କେତେକ କୋଲୁନ୍‌ ବାରାକଠାରେ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିବାବେଳେ କଳା ହାପ୍-ପ୍ୟାଣ୍ଟ ବିନ୍ଧିଥିଲେ। ସେମାନେ ଅପରାହ୍ଣରେ ବିଶ୍ବବିଦ୍ୟାଳୟ ପରିସର ରାସ୍ତା ଓ ରେନ୍‌ଫ୍ର୍ୟୁ ରୋଡ୍‌ରେ ଅବରୋଧ ହଟାଇବା କାମରେ ଲାଗିଥିଲେ। ସେମାନେ କେବଳ ହିଂସା ପ୍ରଶମନ ପାଇଁ କାର୍ଯ୍ୟ କରିବେ ବୋଲି ଜଣେ ସୈନିକ କହିଥିଲାବେଳେ ସ୍ଥାନୀୟ ପ୍ରଶାସନ ସହିତ ତାଙ୍କର ସମ୍ପର୍କ ବୋଲି ଅନ୍ୟ ଜଣେ କହିଥିଲେ। ସେନାକୁ ହଂକଂର ନିଆଁଲିଭାଳି ଦଳ ଓ ସ୍ଥାନୀୟ ପୁଲିସ ସହଯୋଗ କରୁଥିବା ଦେଖାଯାଇଥିଲା। ହଂକଂ ପ୍ରଶାସନର ସୁରକ୍ଷା ବିଭାଗ ସଚିବଙ୍କ କହିବାନୁଯାୟୀ, ଚୀନ୍‌ ସୈନ୍ୟ ଏଠାରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ କିମ୍ବା ଆନ୍ଦୋଳନ ଦମନ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ଗତ ବର୍ଷ ଅକ୍ଟୋବରରେ ପ୍ରାୟ ୪୦୦ ଚୀନ୍‌ ସୈନିକ ହଂକଂ ଆସି ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ଚାଲିଥିବା ଆନ୍ଦୋଳନରେ ଚୀନ୍‌ ସେନା ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବେ ନାହିଁ ବୋଲି ବେଜିଂ ପକ୍ଷରୁ କିଛି ଦିନ ପୂର୍ବେ କୁହାଯାଇଥିଲା; ତେବେ ହଂକଂବାସୀଙ୍କ ଆନ୍ଦୋଳନକୁ ଚୀନ୍‌ ଯେକୌଣସିମତେ ଦମନ କରିବାକୁ ପ୍ରୟାସ ଚଳାଇଥିବା ପ୍ରକାଶ। ଗୁରୁବାର ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ ଯେ ହଂକଂର ଗଣତନ୍ତ୍ର ସପକ୍ଷ ବିଦ୍ରୋହ ଚୀନ୍‌ ପ୍ରତି ବିପଦ। ଚୀନ୍‌ ଏହାକୁ ପ୍ରଶ୍ରୟ ଦେବାକୁ ଚାହେଁ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ କବଳରୁ ମୁକ୍ତ ହେବା ପରେ ହଂକଂ ସ୍ବାଧୀନ ଭାବେ ରହିବାକୁ ଚାହୁଁଥିବାବେଳେ ଚୀନ୍‌ ଏହାକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଜାରି ରଖିଛି। ବିଶେଷ ଭାବେ ହଂକଂ ପ୍ରଶାସନ ଜରିଆରେ ଏଠାରେ ଜାରି ହୋଇଥିବା ପ୍ରତ୍ୟର୍ପଣ ଆଇନକୁ ହଂକଂବାସୀ ବିରୋଧ କରୁଛନ୍ତି। ଏହାକୁ ବିରୋଧ ପୂର୍ବକ ସ୍ଥାନୀୟ ଯୁବକମାନେ ଆନ୍ଦୋଳନ ଚଳାଇଛନ୍ତି। କିଛିଦିନ ହେଲା ଏହା ହିଂସାତ୍ମକ ରୂପ ନେଇଛି।

Comments are closed.