ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

ଗାନ୍ଧୀନଗର: ଗୁଜରାଟରେ ବିଜେପି ସରକାର ଶେଷରେ ୫ବର୍ଷ ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଭଳି ବିଶିଷ୍ଟ ପଦପଦବୀରେ ଅବସ୍ଥାପିତ ବ୍ୟକ୍ତିମାନଙ୍କ ବ୍ୟବହାର ଲାଗି ୧୯୧ କୋଟି ଟଙ୍କାର ଏକ ନୂଆ ବିମାନ କିଣିଛନ୍ତି। ଏହି ବିମାନ କିଣିବା ଲାଗି ୫ ବର୍ଷ ତଳୁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନ କିଣିବା ପ୍ରକ୍ରିୟା ଶେଷ ହୋଇଛି। ଚଳିତମାସ ୩ୟ ସପ୍ତାହରେ ‘ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦’ ବିମାନକୁ ସରକାରକୁ ହସ୍ତାନ୍ତର କରାଯିବ। ଏହା ଏକକାଳୀନ ୭ ହଜାର କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ କରିପାରିବ।

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ରାଜ୍ୟର ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ର ବିମାନକୁ ନିଜ ଗସ୍ତରେ ବ୍ୟବହାର କରିବେ। ବେସାମରିକ ବିମାନ ଚଳାଚଳ ବିଭାଗର ଅଧିକାରୀ କହିଛନ୍ତି​‌ ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବର୍ତ୍ତମାନ ‘ବିଚ୍‌କ୍ରାଫ୍ଟ ସୁପର କିଙ୍ଗ’ ବିମାନ ବ୍ୟବହାର କରାଯାଉଛି, ଯାହା କମ୍‌ ଦୂରତା ଯାତ୍ରା ପାଇ ଉପଯୋଗୀ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଲମ୍ବା ଯାତ୍ରା ପାଇଁ ଘଣ୍ଟା ପ୍ରତି ୧ ଲକ୍ଷ ଟଙ୍କାରୁ ଅଧିକ ଭଡ଼ା ଦେଇ ଘରୋଇ ବିମାନ ବ୍ୟବହାର କରାଯାଉଛି। ଏଥିପାଇଁ ନୂଆ ବିମାନ କିଣାଯାଇଛି।

Comments are closed.