ଜିସାଟ୍‍-୧୧ କକ୍ଷପଥରେ ଅବସ୍ଥାପିତ ; ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଓ ଦୂରସଞ୍ଚାର ମନ୍ତ୍ରୀଙ୍କ ଅଭିନନ୍ଦନ

0

ନୂଆଦିଲ୍ଲୀ : ଭାରତର ସବୁଠାରୁ ଓଜନଦାର, ବୃହତ୍‍ ଏବଂ ଅତି ଶକ୍ତିଶାଳୀ ଉପଗ୍ରହ ଜିସାଟ୍‍-୧୧କୁ ଆଜି ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଛି। ଫ୍ରେଞ୍ଚ ଗୁଏନାସ୍ଥିତ ଏରିଏନ୍‍ ରକେଟ୍‍ ଉତ୍‍କ୍ଷେପଣ କେନ୍ଦ୍ରରୁ ଭାରତୀୟ ସମୟ ରାତି ୨ଟା ୭ ମିନିଟ୍‍ରେ ଏହି ଉପଗ୍ରହକୁ ନିଖୁଣ ଭାବେ ମହାକାଶରେ ତା’ର କକ୍ଷପଥରେ ଅବସ୍ଥାପିତ କରାଯାଇଛି। କକ୍ଷପଥରେ ପହଞ୍ଚିବାକୁ ଜିସାଟ୍‍-୧୧କୁ ୩୩ ମିନିଟ୍‍ ସମୟ ଲାଗିଥିଲା। ଦେଶରେ ବ୍ରଡବ୍ୟାଣ୍ଡ୍‍ ସେବା ଯୋଗାଣ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଯୋଗାଯୋଗ ସେବା ପ୍ରଦାନ କ୍ଷେତ୍ରରେ ଜିସାଟ୍‍-୧୧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍‍ କହିଛନ୍ତି।
ଏହା ଦ୍ୱାରା ସିକ୍ସିଟିନ୍‍ ଜି.ବି.ପି. ଡାଟା ଲିଙ୍କ୍‍ ସର୍ଭିସ୍‍ ଯୋଗାଣ ସମ୍ଭବ ହେବ ବୋଲି ସେ ସୂଚନା ଦେଇଛନ୍ତି। ଜିସାଟ୍‍- ୧୧ର ଓଜନ୍‍ ୫ହଜାର ୮୫୪ କେଜି ଏବଂ ଏହାର ପରମାୟୁ ୧୫ ବର୍ଷ।
ଭାରତର ସବୁଠାରୁ ଓଜନିଆ ଓ ଅତ୍ୟାଧୁନିକ ଯୋଗାଯୋଗ ଜିସାଟ୍‍-୧୧ ଉପଗ୍ରହର ସଫଳ ଉତ୍‍କ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ବଡ଼ ସଫଳତା ଏବଂ ଏହା ଦୁର୍ଗମ ଅଞ୍ଚଳ ସହ ସଂଯୋଗ ସ୍ଥାପନ କରି କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ। ବୈଜ୍ଞାନିକମାନଙ୍କର ଏହି ବିଚକ୍ଷଣ କାର୍ଯ୍ୟ ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଜିସାଟ୍‍-୧୧ ଉପଗ୍ରହର ଉତ୍‍କ୍ଷେପଣ ଯୋଗାଯୋଗ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଜିସାଟ୍‍-୧୧ଦ୍ୱାରା ଦେଶର ଉତ୍ତର-ପୂର୍ବାଞ୍ଚଳ ତଥା ପାର୍ବତ୍ୟାଞ୍ଚଳ ରାଜ୍ୟଗୁଡ଼ିକରେ ଉଚ୍ଚ ବେଗ ସମ୍ପନ୍ନ ଯୋଗାଯୋଗ ବ୍ୟବସ୍ଥା ହୋଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ହାତକୁ ନିଆଯାଇଥିବା ଭାରତ ନେଟ୍‍ ପ୍ରକଳ୍ପ ଦ୍ୱାରା ଦୁର୍ଗମ ଅଞ୍ଚଳରେ ଶସ୍ତାରେ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଶ୍ରୀ ସିହ୍ନା କହିଛନ୍ତି। ଭାରତ ନେଟ୍‍ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୫୦ ହଜାର ଗ୍ରାମ ପଞ୍ଚାୟତକୁ ବ୍ରଡ୍‍ବ୍ୟାଣ୍ଡ୍‍ ନେଟ୍‍ୱାର୍କ ଯୋଗାଇ ଦିଆଯିବ ଏବଂ ଏହି ଲକ୍ଷ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପୂରଣ କରାଯାଇପାରିବ।

Leave A Reply