ବ୍ରୁକଲିନ୍‌‌ର ସବୁଜ ମହିଳା

0

ରଙ୍ଗ ପ୍ରତି ଅହେତୁକ ଆକର୍ଷଣରେ ବାନ୍ଧି ହୋଇଥିବା ବିଶ୍ବର ପ୍ରଥମ ମହିଳା ଭାବେ ପରିଚିତ ଏଲିଜାବେଥ୍ ସ୍ବିଟହାର୍ଟ। ୭୭ ବର୍ଷୀୟା ଏହି ମହିଳା ବ୍ରୁକଲିନ୍‌ ଅଞ୍ଚଳରେ ‘ସବୁଜ ମହିଳା’ ଭାବେ ଜଣାଯାନ୍ତି। କାରଣ ତାଙ୍କ ଘର-ବାହାର, ପୋଷାକପରିଚ୍ଛଦ, ଏପରିକି କେଶ ମଧ୍ୟ ସବୁଜ ରଙ୍ଗ। କୃତ୍ରିମ ଉପାୟରେ ନିଜ ପାରୁପର୍ଯ୍ୟନ୍ତ ଚତୁଃପାର୍ଶ୍ବକୁ ଏଇ ରଙ୍ଗରେ ନିଜ ଦୁନିଆ ସଜାଇଛନ୍ତି ଏଲିଜାବେଥ୍। ତାଙ୍କର ଏଇ ଅଭିଯାନ ୧୫ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏକ ହିଲ୍​ଷ୍ଟେସନ୍ ଭ୍ରମଣ ଅବସରରେ ତାଙ୍କୁ ସବୁଜ ରଙ୍ଗ ସହ ପ୍ରେମ ହୋଇଥିଲା ବୋଲି କହିଛନ୍ତି ଏଲିଜାବେଥ୍। ଏହା ପରଠାରୁ ସେ ନିଜ ନେଲପଲିସ୍‌ରେ ସବୁଜ ରଙ୍ଗ, ପରେ କେଶ ସବୁଜ ରଙ୍ଗ କରିବା ଆରମ୍ଭ କରିଥିଲେ। ତାଙ୍କ ଘରର ପ୍ରତ୍ୟେକ କକ୍ଷ, ଖଟ, ଆସବାବପତ୍ର, ବେଡିସିଟ୍, ଚାଦର ସବୁକିଛି ଧୀରେଧୀରେ ସବୁଜ ରଙ୍ଗରେ ପରିବର୍ତ୍ତିତ ହେଲା। ପତ୍ନୀଙ୍କର ଏଭଳି ପାଗଳାମିରେ ସ୍ବାମୀ ରୋବର୍ଟ ରୋଜନଥେଲ୍ କହିଛନ୍ତି, ସେ ପ୍ରତିଜ୍ଞା କରିଛନ୍ତି ବଞ୍ଚିଥିବା ପର୍ଯ୍ୟନ୍ତ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ନାହିଁ କିମ୍ବା କିଣିବେ ନାହିଁ। ହେଲେ ପତ୍ନୀଙ୍କୁ ତାଙ୍କର ଇଚ୍ଛା ଚରିତାର୍ଥ କରାଇବାରୁ ଅଟକାଇବେ ନାହିଁ ମଧ୍ୟ, ବରଂ ଏଲିଜାବେଥ୍‌ଙ୍କୁ ସବୁଜ ରଙ୍ଗର ସୁନ୍ଦର ଉପହାରମାନ ଭେଟିଦେବାରେ ରୋବର୍ଟଙ୍କୁ ଖୁସି ଲାଗେ। କିଛିଦିନତଳେ ଏଇ ବୟସ୍କ ଦମ୍ପତି ବିବାହର ୫୧ ବର୍ଷ ପୂର୍ତ୍ତି ଉତ୍ସବପାଳନ କରିଥିଲେ।

ବ୍ରୁକଲିନ୍‌ର ଏହା ସବୁଠୁ ସୁନ୍ଦର ସବୁଜ ବିବାହ ପୂର୍ତ୍ତି ଉତ୍ସବ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଲିଜାବେଥ୍ ଓ ରୋବର୍ଟଙ୍କ ଏହି ଉତ୍ସବର କୋଣଅନୁକୋଣରେ ସବୁଜରଙ୍ଗ ଖେଳାଯାଇଥିବାବେଳେ ଖାଦ୍ୟପାନୀୟର ରଙ୍ଗ ମଧ୍ୟ ସବୁଜ ଥିଲା। ଏଲିଜାବେଥ୍‌ଙ୍କ ଇନଷ୍ଟାଗ୍ରାମ୍‌ରେ ମୋଟ୍ ୯ହଜାର ପ୍ରଶଂସକ ଅଛନ୍ତି। ନିୟମିତ ସେଥିରେ ୭୦୦ରୁ ଅଧିକ ଫଟୋ ଅପଲୋଡ ହେଉଥିବାର ପ୍ରକାଶ।

Leave A Reply