ଚୀନ୍‌ ଇ-କମର୍ସ କମ୍ପାନୀରୁ ଉତ୍ପାଦ କିଣିଲେ ଲାଗିପାରେ ୫୦% ଅଧିକ ଟିକସ

ନୂଆଦିଲ୍ଲୀ: ବିଦେଶୀ ଇ-କମର୍ସ କମ୍ପାନୀଗୁଡ଼ିକ ନିଜ ଉତ୍ପାଦଗୁଡ଼ିକୁ ଉପହାର ରୂପରେ ଭାରତକୁ ପଠାଉଛନ୍ତି। ଏହାଦ୍ବାରା ସେମାନେ ସୀମା ଶୁଳ୍କ ଫାଙ୍କୁଛନ୍ତି। ତେଣୁ ଏଭଳି ଇ-କମର୍ସ କମ୍ପାନୀଗୁଡ଼ିକର ସାମଗ୍ରୀ ଉପରେ ଭାରତ ସରକାର ୫୦% ଅଧିକ ଟିକସ ଲାଗୁ କରିବାକୁ ଯୋଜନା କରୁଛନ୍ତି, ଯାହାର ବୋଝ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ। ଅଲୀବାବା, କ୍ଲବ ଫ୍ୟାକ୍ଟ୍ରି, ଅଲୀଏକ୍ସପ୍ରେସ ଏବଂ ଶୀନ ଭଳି ଚୀନ ଇ-କମର୍ସ କମ୍ପାନୀଗୁଡ଼ିକ ସରକାରଙ୍କ ସ୍କାନରରେ ରହିଛି। ଏହି ଇ-କମର୍ସ କମ୍ପାନୀଗୁଡ଼ିକରୁ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୫୦% ଅଧିକ ଟିକସ ଦେବାକୁ ପଡ଼ିପାରେ। ଭାରତ ସରକାର ଖୁବ୍‌ଶୀଘ୍ର ଏହି ନିୟମ ଲାଗୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଏସଟି ଏବଂ ସୀମା ଶୁଳ୍କ ବାବଦରେ କମ୍ପାନୀଗୁଡ଼ିକର ଉତ୍ପାଦ ଉପରେ ଏହି ଟିକସ ଲାଗୁ ହେବ। ଇ-କମର୍ସ ୱେବ୍‌ସାଇଟ୍‌ ଜରିଆରେ ସାମଗ୍ରୀଗୁଡ଼ିକର ବେଆଇନ ଆମଦାନୀ ରୋକିବା ଲାଗି କର ବିଭାଗ ଚୀନ ଇ-କମର୍ସ କମ୍ପାନୀର ସାମଗ୍ରୀଗୁଡ଼ିକ ଉପରେ ଆଇଜିଏସଟି(ଏକୀକୃତ ସାମଗ୍ରୀ ଏବଂ ସେବା କର) ଏବଂ ସୀମା ଶୁଳ୍କ ଲାଗୁ କରିବାକୁ ଯୋଜନା କରୁଛି।

ନିୟମର ଫାଇଦା ଉଠାଉଛନ୍ତି ବିଦେଶୀ କମ୍ପାନୀ

ଭାରତୀୟ ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ଦେଶରୁ ୫ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଉପହାର କିଣିବା ଉପରେ ସୀମା ଶୁଳ୍କ ଲାଗୁ ହୋଇ ନ ଥାଏ। କିନ୍ତୁ ଚୀନ ଏବଂ ଅନ୍ୟ ଦେଶର ଇ-କମର୍ସ କମ୍ପାନୀଗୁଡ଼ିକ ଏହି ନିୟମର ଫାଇଦା ଉଠାଇବାରେ ଲାଗିଛନ୍ତି। କମ୍ପାନୀଗୁଡ଼ିକ ସୀମା ଶୁଳ୍କ ନ ଦେଇ ନିଜ ଉତ୍ପାଦକୁ ଉପହାର ରୂପରେ ଭାରତ ପଠାଉଛନ୍ତି। ଅଲୀବାବା, କ୍ଲବ ଫ୍ୟାକ୍ଟ୍ରି, ଅଲୀଏକ୍ସପ୍ରେସ ଏବଂ ଶୀନ ଭଳ ଚାଇନିଜ ଇ-କମର୍ସ କମ୍ପାନୀ ଏପରି କାର୍ଯ୍ୟ କରୁଥିବାରୁ ସେଗୁଡ଼ିକ ଉପରେ କର ବିଭାଗର ନଜର ରହିଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ସମ୍ପୃକ୍ତ କମ୍ପାନୀଗୁଡ଼ିକର କାରବାର ପ୍ରଭାବିତ ହେବ।

Comments are closed.