ସରକାରଙ୍କର ନୂଆ ଯୋଜନା ; ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨୦ ହଜାର

0

ଭୁବନେଶ୍ବର : ଅର୍ଥାଭାବରୁ କେହି ଆଉ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ । ଅର୍ଥାଭାବ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ପରିବାରର ପିଲାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଶୁକ୍ରବାର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖା ହାର ବଢ଼ାଇବା ନିମନ୍ତେ ଏକ ନୂଆ ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି।
ଯୁକ୍ତ ଦୁଇରୁ ପିଜି ପର୍ଯ୍ୟନ୍ତ ଅନାଥ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ ନିମନ୍ତେ ଏବେ ଇ-ମେଧାବୃତ୍ତି, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଓ ଗ୍ରୀନ ପ୍ୟାସେଜ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନୂତନ ଆର୍ଥିକ ସହାୟତା ଯୋଜନାରେ ଗରିବ ପିଲାମାନଙ୍କୁ ବାର୍ଷିକ ୨୦ହଜାର ଟଙ୍କା ଯୋଗାଇଦିଆଯିବ। ପାଠପଢ଼ା ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଆବେଦନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଯୋଗ୍ୟତା ସର୍ତ୍ତାବଳି ସ୍ଥିର କରିଛନ୍ତି। ଏଚଆଇଭି/ଏଡ୍‌ସ ଆକ୍ରାନ୍ତ ପରିବାର, ମାରାତ୍ମକ ରୋଗରେ ପୀଡ଼ିତ ପରିବାର, ଭୁମିହିନ ଓ ବାସହୀନ ପରିବାର, ରୋଜଗାର ନଥାଇ ମହିଳା ମୁଖ୍ୟ ଥିବା ପରିବାରର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ରାଜ୍ୟର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ,, ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ କିମ୍ବା ପିଜି ପାଠ୍ୟକ୍ରମରେ ସେମାନେ ନାମ ଲେଖାଇଥିବା ଆବଶ୍ୟକ। ସବୁ ସୂତ୍ରରୁ ପରିବାରର ଆୟ ବାର୍ଷିକ ୧ଲକ୍ଷରୁ ଅଧିକ ହୋଇ ନଥିବ। ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏବଂ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଅଣବୈଷୟିକ ଏବଂ ପିଜି ପାଠ୍ୟକ୍ରମ ନିମନ୍ତେ ଆର୍ଥିକ ସହାୟତା ଦିଆଯିବ।

ଯୋଗ୍ୟ ଛାତ୍ରଛାତ୍ରୀ ଏଥିନିମନ୍ତେ ଉଚ୍ଚଶିକ୍ଷା ବିଭାଗରେ ଉପଲବ୍ଧ ଅନଲାଇନ ଆବେଦନପତ୍ର ଜରିଆରେ ଆବେଦନ କରିପାରିବେ। ଏଥିପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ସେମାନଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବାକୁ ଅନୁରୋଧ କରିଛନ୍ତି। ଆର୍ଥିକ ସହାୟତା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନକରାଯିବ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟି ଛାତ୍ରଛାତ୍ରୀଙ୍କ ଆବେଦନ ଯାଞ୍ଚ କରି ଚୂଡ଼ାନ୍ତ କରିବା ପରେ କମିଟି ଅର୍ଥ ମଞ୍ଜୁରି ନିମନ୍ତେ ଏହାକୁ ଉଚ୍ଚଶିକ୍ଷା ବିଭାଗକୁ ପଠାଇବ।

Leave A Reply