ଶିବସେନାକୁ ଝଟକା – ରାଜ୍ୟପାଳ ଦେଲେନି ଅଧିକ ସମୟ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ ଗତ ୨୪ ଘଣ୍ଟା ଧରି ଚାଲିଥିବା ଉଦ୍ୟମକୁ ଝଟକା ଲାଗିଛି। ଆଜି ସନ୍ଧ୍ୟାରେ ଶିବସେନା ପକ୍ଷରୁ ଦଳୀୟ ନେତା ଆଦିତ୍ୟ ଠାକରେଙ୍କ ନେତୃତ୍ୱରେ ରାଜ୍ୟପାଳ ଭଗତ ସିଂହ ହୋସିଆରୀଙ୍କୁ ଭେଟିବାକୁ ଯାଇଥିବା ନେତାମାନଙ୍କୁ ନିରାଶ ହେବାକୁ ପାଇଛି। ଶିବସେନା ପକ୍ଷରୁ ଅଧିକ ୪୮ ଘଣ୍ଟା ଅର୍ଥାତ ୨ ଦିନ ସମୟ ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ, ରାଜ୍ୟପାଳ ଏହି ପ୍ରସ୍ତାବ ଗ୍ରହଣ କରି ନ ଥିବା ଜଣା ପଡିଛି।

ଆଦିତ୍ୟ ଠାକରେ କହିଛନ୍ତି, ସହଯୋଗୀ ଦଳଗୁଡିକ ସହିତ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ଅଧିକ ସମୟ ଲାଗୁ ଥିବାରୁ ଦଳ ପକ୍ଷରୁ ଅଧିକ ୨ ଦିନ ସମୟ ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ରାଜ୍ୟପାଳ ମୌଖିକ ଭାବେ ଅଧିକ ସମୟ ଦେବା ପାଇଁ ରାଜି ହୋଇ ନାହାନ୍ତି। ତେବେ ରାଜ୍ୟପାଳ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ନାହାନ୍ତି। ରାଜ୍ୟପାଳ ମଧ୍ୟ ଏ ଯାଏଁ କୌଣସି ପ୍ରେସ ବିଜ୍ଞପ୍ତିରେ ଅଧିକ ସମୟ ଦେବା ପ୍ରସ୍ତାବକୁ ଗ୍ରହଣ ନ କରିଥିବା ପ୍ରକାଶ କରିନାହାନ୍ତି। ତବେ ଅନ୍ୟ ଏକ ସୂଚନା ଅନୁଯାୟୀ କଂଗ୍ରେସ ସମର୍ଥନ ଦେବା କି ନାହିଁ ସେ ନେଇ ପୁଣି ଥରେ ଏନସିପି ସହ ଆଲୋଚନା କରିବ।

Comments are closed.