ଛେଳି ଓ କୁକୁଡ଼ା ଜିଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ : ଧର୍ମେନ୍ଦ୍ର

0

ବଡ଼ସାହି : ମୟୂରଭଞ୍ଜର ଗୃହପାଳିତ ପ୍ରାଣୀ ଛେଳି ଓ କୁକୁଡାଙ୍କୁ ଜିଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ମୟୂରଭଞ୍ଜ ବଡସାହି ବ୍ଲକର ସାନକେରକୋ ଗ୍ରାମରେ ମୟୂରଭଞ୍ଜ ଛାଗଚାଷ ଉନ୍ନତୀକରଣ ଯୋଜନାର ଶୁଭ ଉଦ୍ଘାଟନ ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନ୍ଜିସିର ସାମାଜିକ ଦାୟିତ୍ୱବୋଧ ଯୋଜନା ଅଙ୍ଗ ସ୍ୱରୂପ ଏହି ପ୍ରକଳ୍ପ ଆର୍ଥିକ ସହାୟତା ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୟୂରଭଞ୍ଜର ସାଧାରଣ ଲୋକ ଛେଳି ପାଳନ କରି ସେଥିରୁ ନିଜର ଘର ଚଳାଇବା ସହ ଦେହ ଖରାପ, ପିଲାଙ୍କ ପାଠପଢା ଓ ବାହାଘର ଆଦି ଖର୍ଚ୍ଚ ଆଦି କରୁଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି; ମୟୂରଭଞ୍ଜର ପତ୍ର ଖିଆ ଛେଳିର ଚାହିଦା କେବଳ ଓଡିଶା ନୁହଁ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇରେ ରହିଛି। ଯଦି ମୟୂରଭଞ୍ଜର ପତ୍ର ଖିଆ ଛେଳିର ସଠିକ୍ ମାର୍କେଟିଂ ବ୍ୟବସ୍ଥା କରାଯିବ, ତାହାହେଲେ ମୟୂରଭଞ୍ଜର ଛେଳି ଚାଷୀ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିବେ। ମୟୂରଭଞ୍ଜ ଏକ ଅପାର ସମ୍ଭାବନାର ଜିଲା। ଏହି ଜିଲାର ସବାଇ ଘାସ, ଶାଳପତ୍ର ଓ ଲଘୁ ବନଜାତ ଦ୍ରବ୍ୟର ସଠିକ୍ ବ୍ୟବହାର ଜିଲାକୁ ଆର୍ଥିକ ସ୍ୱଚ୍ଛଳତା ଦେଇପାରେ। ଜିଲାର ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଅନ୍ୟାନ୍ୟ ନଦୀର ପାଣିକୁ ଚାଷ ପାଇଁ ସୁବିନିଯୋଗ କଲେ ଜିଲାରେ ସୁନା ଫଳିବ ବୋଲି ସେ କହିଛନ୍ତି। ତାଙ୍କୁ ଉପହାର ଦିଆଯାଇଥିବା ଗାମୁଛା ଜିଲାର ଆଦିବାସୀଙ୍କ ଦ୍ୱାରା ବୁଣାଯାଇଥିବା ଓ ତାହାର ମୂଲ୍ୟ ୨୦୦ ଟଙ୍କାରେ ସ୍ଥାନୀୟ ବଜାରରେ ମିଳୁଛି। ଯଦି ଏହାକୁ ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ବଜାରରେ ଆଦିବାସୀଙ୍କ ହାତବୁଣା ପାରଶ୍ରମିକ ପ୍ରସ୍ତୁତିଭାବେ ମାର୍କେଟିଂ କରାଯିବ, ତେବେ ଏହାର ମୂଲ୍ୟ ୨୦୦୦ ଟଙ୍କା ହୋଇପାରେ। ଆଦିବାସୀ ବୁଣାକାରଙ୍କ ପାଖରେ ଯଦି ଏଥିରୁ ୧୦୦୦ ଟଙ୍କା ପହଞ୍ଚିବ, ମୟୂରଭଞ୍ଜର ଅର୍ଥନୀତିକୁ ଏକ ବଡ ବଳ ମିଳିବ। ଏହି ଅବସରରେ ଗୋଟେରୀ ଡେଭଲପ୍ମେଣ୍ଟ ପ୍ରକଳ୍ପ ଭଳି ମୟୂରଭଞ୍ଜ ଜିଲାର ଆଦିବାସୀ ଓ ଗରିବ ଲୋକଙ୍କ ବିକାଶ ପାଇଁ ଅଧିକ କାମ ଭାରତ ସରକାରଙ୍କ ଉପକ୍ରମମାନେ ହାତକୁ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦରା ସୋରେନ, ପ୍ରିୟବ୍ରତ ମାଝୀ ଓ ବିଜେପି ଜିଲା(ପୂର୍ବ) ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ। ରବିବାର ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ, ପ୍ରତାପପୁର ପଞ୍ଚାୟତର ହରିପୁରରୁ ଗ୍ରାମ ସ୍ୱରାଜ ଯୋଜନାରେ ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମ ଘୋଷଣାର ଶୁଭାରମ୍ଭ କରିବା ସହିତ ୨୨ଜଣ ହିତାଧିକାରୀଙ୍କୁ ଭିନ୍ନ ଯୋଜନାର କାଗଜପତ୍ର ପ୍ରଦାନ କରିଥିଲେ। ରାତିରେ ସେହି ଗ୍ରାମର ଜଣେ ଲୋକଙ୍କ ଘରେ ଭୋଜନ କରି ରାତ୍ରିଯାପନ କରିଥିଲେ। ସୋମବାର ଗାଁ ସ୍କୁଲରେ ମା’ ଏବଂ ଶିଶୁଙ୍କୁ ଇନ୍ଦ୍ରଧନୁଷ ଯୋଜନାରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ସାରି ସାନକେରକୋରେ ପହଞ୍ôଚଥିଲେ। ଆସିବା ସମୟରେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା।

Leave A Reply