ଶ୍ରୀଲଙ୍କା ରାଷ୍ଟ୍ରପତି ହେବେ ଗୋଟବାୟା ରାଜପାକ୍ସେ, ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଗୋଟବାୟା ରାଜପାକ୍ସେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେ ଶାସକ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସଙ୍କୁ ବଡ଼ ବ୍ୟବଧାନରେ ହରାଇ ବିଜୟ ହାସଲ କରିଛନ୍ତି। ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ସମୟରେ ପ୍ରତିରକ୍ଷା ସଚିବ ଭାବେ ରହି ବିବାଦ ଘେରକୁ ଆସିଥିବା ଗୋଟବାୟା ଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟବାୟାଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତେବେ  ଗୋଟବାୟାଙ୍କ ବିଜୟର ପ୍ରଭାବ ଭାରତ ଉପରେ ପଡ଼ିପାରେ। କାରଣ ଗୋଟବାୟା ହେଉଛନ୍ତି ରାଜପାକ୍ସେ ପରିବାରର, ଯେଉଁମାନେ ଚୀନ ପ୍ରତି ବେଶ୍‌ ଯତ୍ନବାନ। ତେଣୁ ତାଙ୍କର ବିଜୟ ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ ବୋଲି କୁହାଯାଉଛି। ତେବେ ଗୋଟବାୟାଙ୍କ ବିଜୟ ସହିତ ଶ୍ରୀଲଙ୍କା ରାଜନୀତିରେ ଶକ୍ତିଶାଳୀ ମନେକରାଯାଉଥିବା ରାଜପାକ୍ସେ ପରିବାର ପୁଣି ଥରେ କ୍ଷମତାକୁ ଫେରିଛି।

ଗୋଟବାୟା ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ସେଙ୍କ ସାନଭାଇ। ତାଙ୍କ ଜନ୍ମ ୧୯୪୯ ଜୁନ ୨୦ରେ ଶ୍ରୀଲଙ୍କାର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ହୋଇଥିଲା। ୯ ଭାଇ ଓ ଭଉଣୀଙ୍କ ମଧ୍ୟରେ ସେ ହେଉଛନ୍ତି ୫ମ। ତାଙ୍କ ବାପା ଡି.ଏ. ରାଜପାକ୍ସେ ୧୯୬୦ ଦଶକରେ ବିଜୟାନନ୍ଦ ଦହାନାୟକେଙ୍କ ସରକାରରେ ପ୍ରମୁଖ ନେତା ଥିଲେ ଏବଂ ଶ୍ରୀଲଙ୍କାର ଫ୍ରିଡମ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଗୋଟବାୟା କଲୋମ୍ବୋରେ ଶିକ୍ଷା ଗ୍ରହଣ ଶେଷ କରିବା ପରେ ୧୯୭୧ରେ ଶ୍ରୀଲଙ୍କା ସେନାରେ ଅଧିକାରୀ ଭାବେ ଯୋଗଦେଇଥିଲେ। ୭୦ ବର୍ଷୀୟ ଗୋଟବାୟା ୧୯୮୩ରେ ମାଡ୍ରାସ ବିଶ୍ଵବିଦ୍ୟାଳୟରୁ ପ୍ରତିରକ୍ଷା ଅଧ୍ୟୟନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ। ୧୯୯୧ରେ ସେ ସାର୍‌ ଜନ୍‌ କୋଟେଲୱାଲା ପ୍ରତିରକ୍ଷା ଏକାଡେମୀର ଡେପୁଟି କମାଣ୍ଡାଣ୍ଟ ଭାବେ ନିଯୁକ୍ତ ହୋଇଥିଲେ। ୧୯୯୨ରେ ସେ ସେନାରୁ ଅବସର ନେଇଥିଲେ। ୨୦୦୫ରେ ଭାଇ ମହିନ୍ଦା ରାଜପାକ୍ସେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ଗୋଟବାୟା ତାଙ୍କୁ ସହଯୋଗ କରିଥିଲେ।

Comments are closed.