ପ୍ରେମିକା ବଦଳରେ ତାର ସ୍ୱାମୀକୁ ୭୧ଟି ମେଣ୍ଢା ଦେଲା ପ୍ରେମିକ

ଗୋରଖପୁର : ଉତ୍ତରପ୍ରଦେଶ ଗୋରଖପୁରରେ ଜଣେ ମହିଳାଙ୍କ ମୂଲ୍ୟ ୭୧ଟି ମେଣ୍ଢା ଦ୍ୱାରା ଧାର୍ଯ୍ୟ କରାଯାଇଛି। ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ବଦଳରେ ତାର ସ୍ୱାମୀକୁ ୭୧ଟି ମେଣ୍ଢା ଦେଇଛି।

ସୂଚନା ଅନୁସାରେ ଗୋରଖପୁର ପିପରାଇଚ ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ସେହି ପଞ୍ଚାୟତର ଜଣେ ବିବାହିତା ମହିଳାଙ୍କୁ ଭଲ ପାଉଥିଲା। ଗତ ଜୁଲାଇ ୨୨ରେ ବିବାହିତା ମହିଳା ଜଣକ ନିଜ ପ୍ରେମିକ ସହ ଘରୁ ପଳାଇଥିଲା। ଗ୍ରାମକୁ ଫେରିବା ପରେ ମହିଳା ଜଣକ ନିଜ ପ୍ରେମିକ ପାଖରେ ରହିଥିଲା ଓ ସ୍ୱାମୀ ପାଖକୁ ଫେରିବାକୁ ମନା କରିଦେଇଥିଲା। ଏହାକୁ ନେଇ ମହିଳାଙ୍କ ପ୍ରେମିକ ଓ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ସ୍ୱାମୀ ଜଣକ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲା। ପଞ୍ଚାୟତ ସଭାରେ ନିଷ୍ପତ୍ତି ନିଆଯାଇଥିଲା ଯେ କ୍ଷତିପୂରଣ ବାବଦ ପ୍ରେମିକ ଜଣକ ପ୍ରେମିକାର ସ୍ୱାମୀକୁ ୭୧ଟି ମେଣ୍ଢା ଦେବ। ଏହାପରେ ସେ ନିଜ ପ୍ରେମିକାକୁ ବିବାହ କରି ସଂସାର କରିପାରିବ। ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ପ୍ରେମିକ ଜଣକ ନିଜର ୧୪୨ ମେଣ୍ଢା ମଧ୍ୟରୁ ପ୍ରେମିକାର ସ୍ୱାମୀକୁ ୭୧ଟି ମେଣ୍ଢା ପ୍ରଦାନ କରିଥିଲା। ମାତ୍ର ପ୍ରେମିକର ବାପା ଏଥିରେ ହସ୍ତକ୍ଷେପ କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରେମିକର ବାପା ପଞ୍ଚାୟତ କଥା ମାନିବାକୁ ମନା କରିଦେଇଥିଲେ। ସେ ମେଣ୍ଢା ଫେରି ପାଇବାକୁ ପୁଲିସ୍‍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିନାହାନ୍ତି। ଘଟଣା ଥାନାରେ ପହଞ୍ଚିବା ପରେ ଲୋକଲୋଚନକୁ ଆସିଛି।

Comments are closed.