ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଥିବା ମହିଳା ନିଖୋଜ

0

ଗୋପାଳପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଥିବା ଜଣେ ମହିଳା ତୀର୍ଥଯାତ୍ରୀ ତାମିଲନାଡୁରେ ନିଖୋଜ ହୋଇ ଯାଇଥିବାବେଳେ ଅନ୍ୟ ଜଣେ ତୀର୍ଥଯାତ୍ରୀ ଅସୁସ୍ଥତା କାରଣରୁ ତିରୁପତିରେ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ନିଖୋଜ ମହିଳାଙ୍କ ପରିବାରବର୍ଗ ତ୍ୱରିତ ତାମିଲନାଡୁ ଗସ୍ତ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତାମିଲନାଡୁ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଇଛି। ହେଲେ ନିଖୋଜକୁ ୪୮ ଘଣ୍ଟା ବିତିଯାଇଥିଲେ ହେଁ ସଂପୃକ୍ତ ମହିଳାଙ୍କ ପତ୍ତା ମିଳିନି। ତାମିଲନାଡୁର ତ୍ରିଚିନାପଲ୍ଲୀ ଓ ଗୋପାଳପୁର ଥାନାରେ ପୃଥକ ପୃଥକ ଏତଲା ଦାଏର ହୋଇଛି। ଓଡିଶା ପର୍ଯ୍ୟଟନ ବିଭାଗ ଓ ଆଇଆର୍‍ସିଟିସି ସହ ମିଳିତ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୫ ତାରିଖରେ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ବ୍ରହ୍ମପୁର ରେଳଷ୍ଟେସନ୍‍ରୁ ସମୁଦାୟ ୯୫୨ଜଣ ବୟସ୍କ ତୀର୍ଥଯାତ୍ରୀ ସାମିଲ ହୋଇ ତାମିଲନାଡୁର ବିଭିନ୍ନ ତୀର୍ଥସ୍ଥଳ ପରିଭ୍ରମଣରେ ବାହାରିଥିଲେ। ଏହି ଯାତ୍ରାରେ ଗଞ୍ଜାମ ଜିଲାରୁ ସର୍ବାଧିକ ୫୬୭ଜଣ ସାମିଲ ହୋଇଥିଲେ।
ଗଜପତିରୁ ୮୩, ନୟାଗଡରୁ ୧୩୯, ବୌଦ୍ଧରୁ ୬୩ ଏବଂ କନ୍ଧମାଳରୁ ୭୨ଜଣ ଏଥିରେ ସାମିଲ ହୋଇଥିଲେ। ଗଞ୍ଜାମ ଜିଲାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ରଙ୍ଗେଇଲୁଣ୍ଡା ବ୍ଲକ୍‍ରୁ ମୋଟ ୫୪ଜଣ ଯାଇଥିଲେ। ତୀର୍ଥଯାତ୍ରା ସାରି ଟ୍ରେନରେ ଆଜି ସକାଳେ ସମସ୍ତେ ବ୍ରହ୍ମପୁର ପହଞ୍ଚିଥିଲେ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଲକ୍‍ ଡୁରା ପଞ୍ଚାୟତ ଅନ୍ତର୍ଗତ ପେଣ୍ଠାପଲ୍ଲୀରୁ ଯାଇଥିବା ଲକ୍ଷ୍ମୀ ବେହେରା (୭୦) ଫେରିନଥିବା ଜଣାପଡିଛି। ଏହାସହ ଅନ୍ୟ ଜଣେ ତୋଟାପଲ୍ଲୀର କବି ବେହେରା (୬୮)ଙ୍କ ଦେହ ଅସୁସ୍ଥ ହେବାରୁ ତିରୁପତିସ୍ଥିତ ଶ୍ରୀ ଭେଙ୍କେଟଶ୍ୱର ରାମ ନାରାୟଣ ଲୋହିୟା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ଖବର ଅନୁଯାୟୀ ଗତ ୧୮ ତାରିଖରେ ତୀର୍ଥଯାତ୍ରୀ ଟ୍ରେନ୍‍ ତାମିଲନାଡୁସ୍ଥିତ ତ୍ରିଚିନାପଲ୍ଲୀ ଷ୍ଟେସନ୍‍ରେ ପହଞ୍ଚି ସେଠାରୁ ବସ୍‍ ଯୋଗେ ରଙ୍ଗାନାଥ ମନ୍ଦିର ପରିଭ୍ରମଣରେ ଯାଇଥିଲେ। ଅପରାହ୍ନ ସମୟରେ ଲକ୍ଷ୍ମୀ ସହିତ ଗ୍ରାମର ଅନ୍ୟ ୪ଜଣ ମହିଳା ଓ ପୁରୁଷ କୌତୁକ ବେହେରା, କେ. ଚାନ୍ଦ୍ରାମ୍ମା ରେଡ୍ଡୀ, ଏସ୍‍. କାନକାମ୍ମା ଓ ଏସ୍‍. ଦଣ୍ଡାସୀ ରେଡ୍ଡୀ ପ୍ରମୁଖଙ୍କ ସହ ହାତ ଧରାଧରି ହୋଇ ମନ୍ଦିର ବୁଲୁଥିଲେ। ତେବେ ମନ୍ଦିର ବେଢାରେ ଅତ୍ୟଧିକ ଗହଳି ଯୋଗୁଁ ଲକ୍ଷ୍ମୀ କରଛଡା ହୋଇଥିଲେ। ସାଥି ଯାତ୍ରୀମାନେ ବହୁ ଖୋଜାଖୋଜି କରି ତାଙ୍କୁ ଠାବ କରିନପାରି ସାଥିରେ ଯାଇଥିବା ଏସ୍‍କର୍ଟ ଅଫିସର ମଧୁସୂଦନ ପାତ୍ରଙ୍କୁ ଜଣାଇଥିଲେ। କିନ୍ତୁ ସେତେବେଳେକୁ ଟ୍ରେନ୍‍ ସମୟ ହୋଇଯାଇଥିଲା। ଅନ୍ୟ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‍ ଷ୍ଟେସନ୍‍ରେ ପହଞ୍ଚିଥିଲା। ଲକ୍ଷ୍ମୀଙ୍କୁ ଛାଡି ଅନ୍ୟ ଯାତ୍ରୀଙ୍କୁ ନେଇ ଟ୍ରେନ୍‍ ସେଠାରୁ ବ୍ରହ୍ମପୁର ଅଭିମୁଖେ ବାହାରି ଯାଇଥିଲା। ୧୮ ତାରିଖ ରାତିରେ ଲକ୍ଷ୍ମୀଙ୍କ ସହ ମନ୍ଦିର ଯାଇଥିବା କୌତୁକୀ ଘଟଣା ସମ୍ପର୍କରେ ପୁଅ ଦୁର୍ଯ୍ୟୋଧନକୁ ଅବଗତ କରାଇଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ବୁଧବାର ସକାଳ ପର୍ଯ୍ୟନ୍ତ ଦିଆଯାଇନଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଯ୍ୟୋଧନ ତାଙ୍କର ଜଣେ ପଡୋଶୀଙ୍କ ସହ ତାମିଲନାଡୁ ଟ୍ରେନ୍‍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ସେଠାରେ ପହଞ୍ଚି ମା’ ଲକ୍ଷ୍ମୀଙ୍କୁ ଖୋଜୁଥିବା ସୂଚନା ମିଳିଛି।
ଲକ୍ଷ୍ମୀ ବେହେରା ତାମିଲନାଡୁରେ ନିଖୋଜ ହୋଇଛନ୍ତି। ବୁଧବାର ସ୍ଥାନୀୟ ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ଜିଲାପାଳଙ୍କ ପକ୍ଷରୁ ମଧ୍ୟ ସେଠାକାର ଜିଲା ପ୍ରଶାସନ ସହ ଯୋଗାଯୋଗ କରାଯାଇ ନିଖୋଜ ଲକ୍ଷ୍ମୀକୁ ଖୋଜାଖୋଜି କରାଯାଉଛି ବୋଲି କହିଛନ୍ତି ଗଞ୍ଜାମ ଜିଲା ପର୍ଯ୍ୟଟନ ଅଧିକାରୀ ସନାତନ ନାୟକ। ଘଟଣା ଦିନ ସାଥିରେ ଥିବା ଅନ୍ୟ ଅଫିସରଙ୍କୁ ଜଣାଇଥିଲୁ ବୋଲି ଏସକର୍ଟ ଅଫିସର ଦାୟିତ୍ୱରେ ଥିବା ବ୍ରହ୍ମପୁର ମହାନଗର ନିଗମର ଡ୍ରାଇଭର ମଧୁସୂଦନ ପାତ୍ର ଯୋଗାଯୋଗ ବେଳେ କହିଛନ୍ତି।
୧୮ ତାରିଖ ଅପରାହ୍ନରେ ଲକ୍ଷ୍ମୀ ବେହେରା ନିଖୋଜ ହୋଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ପ୍ରଶାସନ ତରଫରୁ ସେଠାକାର ଥାନାରେ ଲିଖିତ ଅଭିଯୋଗ କରାନଯାଇ ବୁଧବାର ଅଭିଯୋଗ କରାଯାଇଥିବା ଜଣାପଡିଛି। ନିଖୋଜକୁ ୪୮ଘଣ୍ଟା ବିତିଛି। ଲକ୍ଷ୍ମୀ ବର୍ତ୍ତମାନ କିପରି କେଉଁଠାରେ କେଉଁ ପରିସ୍ଥିତିରେ ରହିଥିବେ ତାହାକୁ ନେଇ ପରିବାରରେ ଭାଳେଣି ପଡିଛି। ପରିବାର ସଦସ୍ୟମାନେ ଅଖିଆ ଅପିଆ ହୋଇ କାନ୍ଦି କାନ୍ଦି ଲକ୍ଷ୍ମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ବୁଧବାର ଏହି ଘଟଣା ନେଇ ଗୋପାଳପୁର ଥାନା ଓ ବ୍ରହ୍ମପୁର ଜିଆର୍‍ପି ଥାନାରେ ଲକ୍ଷ୍ମୀଙ୍କ ପୁଅ କୃଷ୍ଣଚନ୍ଦ୍ରଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।

Leave A Reply