ଗୋପବନ୍ଧୁ ମେମୋରିଆଲ୍‍ ହାଇସ୍କୁଲର ୧୦୦ତମ ପ୍ରତିଷ୍ଠା ଦିବସ ପାଳିତ

ପିପିଲି  : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ୧୦୦ତମ ପ୍ରତିଷ୍ଠା ଦିବସ ଆଜି ବିଦ୍ୟାଳୟ ପରିସରରେ ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ସମୁହ ଭାବେ ଗୋପବନ୍ଧୁଙ୍କ ରଚିତ କବିତା ପାଠ କରିଥିଲେ। ପରେ ବିଦ୍ୟାଳୟର ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ୱର ପ୍ରସାଦ ଗିରି, ବଳଭଦ୍ର ଦାସ, ସୁଦର୍ଶନ ବରାଳ ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ବିତାଇଥିବା ନିଜ ନିଜର ଦୀର୍ଘ ଦିନର କର୍ମମୟ ଜୀବନର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ଛାତ୍ରୀ ସମାଜସେବୀ ଭାରତୀ ରଥ, ପୂର୍ବତନ ଛାତ୍ର କିଶୋର କୁମାର ପଟ୍ଟନାୟକ, ଆଡ୍‍ଭୋକେଟ୍‍ ପ୍ର୍ରହଲ୍ଲାଦ ସିଂ, ନଳୀନିକାନ୍ତ ସାହୁ, ଶିକ୍ଷାବିତ୍‍ ଅର୍ଜ୍ଜୁନ ଘଡେଇ, ଅବସରପ୍ରାପ୍ତ ପୁରୀ ଶିକ୍ଷା ଜିଲା ପ୍ରଶାସନିକ ଅଧିକାରୀ ଶିକ୍ଷାବିତ୍‍ ଶରତ କୁମାର ମିଶ୍ର, ରମେଶ ଚନ୍ଦ୍ର ଦାସ, ସନ୍ତୋଷ କୁମାର ମିଶ୍ର, ଭାଗୀରଥି ପ୍ରଧାନ, ମଞ୍ଜୁଲତା ପଣ୍ଡା ପ୍ରମୁଖ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ତତ୍‍କାଳୀନ ଶିକ୍ଷାପଦ୍ଧତି ତଥା ଗୁରୁଶିଷ୍ୟ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ। ସମଗ୍ର ପୁରୀ ଜିଲାରେ ଏହି ବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଏଠାରେ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରୁଥିବା ସଂପର୍କରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପ୍ରକାଶ କରିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଭଲ ମଣିଷ ଓ ଦେଶ ସେବକ ଭାବେ ନିଜକୁ ଗଢି ତୋଳିବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ। ୧୦୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି ଓ ପଦ୍ମଜା ମିଶ୍ର ନିଜନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଦୈନିକ ‘ସମାଜ’ରେ ବିଦ୍ୟାଳୟ ସଂପର୍କରେ ଏକ ସ୍ୱତନ୍ତ୍ର ବିବରଣୀ ପ୍ରକାଶ କରାଯାଇଥିବାରୁ ‘ସମାଜ’ ଅନୁଷ୍ଠାନକୁୁ ସଭାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟର ଶତବାର୍ଷିକ ଉତ୍ସବକୁ ଆସନ୍ତା ଡିସେମ୍ବର ମାସରେ ୪ଦିନ ଧରି ପାଳନ କରାଯିବା ସଂପର୍କରେ ଶତବାର୍ଷିକ କମିଟିର ସଭାପତି ଶରତ କୁମାର ମିଶ୍ର ସୂଚନା ଦେଇଥିଲେ। ସଭାକାର୍ଯ୍ୟକୁ ପ୍ରସନ୍ନ କୁମାର ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ଶାରଦା ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Comments are closed.