ବରିଷ୍ଠରେ ଲୋଏଶାରାଣୀ, କନିଷ୍ଠରେ ଶୁଭଲକ୍ଷ୍ମୀ ପ୍ରଥମ

0

ଆଜି ଶ୍ରାଦ୍ଧୋତ୍ସବରେ ପୁରସ୍କୃତ ହେବେ ୬କୃତୀ ପ୍ରତିଯୋଗୀ

କଟକ  : ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକୀ ତର୍କ ପ୍ରତିଯୋଗିତା ‘ଓଜସ୍ୱିନୀ ଓଡ଼ିଶା’ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉଦ୍‍ଘାଟନ କରି କହିଲେ ଉତ୍କଳମଣି ଥିଲେ ଓଡ଼ିଶାର ମଣି। ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଯୁବପିଢି ଦେଶ ଓ ରାଜ୍ୟ ଗଠନରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଥିଲେ।

ବରିଷ୍ଠ ବିଭାଗ : ଲୋଏଶାରାଣୀ ସିଂହ (ପ୍ରଥମ), ଆଶୁତୋଷ ମିଶ୍ର (ଦ୍ବିତୀୟ), ବିଶ୍ୱକଲ୍ୟାଣୀ ମହାପାତ୍ର (ତୃତୀୟ)

ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ପ୍ରତିଯୋଗିତାର ଉଦଘାଟନୀ ସଭାରେ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଯୋଗଦେଇଥିଲେ। ବରିଷ୍ଠ ବିଭାଗର ‘ମୋ ସ୍ୱପ୍ନର ଓଡ଼ିଶା: ଏକ ଆହ୍ୱାନ’ ଶୀର୍ଷକ ତର୍କ ପ୍ରତିଯୋଗିତାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ ଲୋଏଶାରାଣୀ ସିଂହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଆଶୁତୋଷ ମିଶ୍ର ୨ୟ ଏବଂ ଯାଜପୁର ନୃସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ରୀ ବିଶ୍ୱକଲ୍ୟାଣୀ ମହାପାତ୍ର ୩ୟ ହୋଇଛନ୍ତି। କନିଷ୍ଠ ବିଭାଗର ‘ରାଷ୍ଟ୍ରୀୟ ବିକାଶରେ ମୂଲ୍ୟବୋଧର ଗୁରୁତ୍ୱ’ ଶୀର୍ଷକ ତର୍କ ପ୍ରତିଯୋଗିତାରେ ଅନୁଗୋଳ ଉଚ୍ଚବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ୧ମ, କଟକ ରେଭେନ୍‍ସା କଲିଜିଏଟ୍‍ ସ୍କୁଲର ଛାତ୍ରୀ ସୁଶ୍ରୀ ଦୀକ୍ଷାନ୍ତିକା ମହାନ୍ତି ୨ୟ ଓ କେନ୍ଦ୍ରାପଡ଼ା ଜିଲା ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ବିଭୁପ୍ରସାଦ ତ୍ରିପାଠୀ ୩ୟ ସ୍ଥାନ ଅଧିକାର କରିଛନ୍ତି। ବରିଷ୍ଠ ଓ କନିଷ୍ଠ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟାରେ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧୋତ୍ସବରେ ଅର୍ଥରାଶି ସହ ପୁରସ୍କୃତ କରାଯିବ। ବରିଷ୍ଠ ବିଭାଗରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ, ରେଭେନ୍‍ସା ବିଶ୍ୱବିଦ୍ୟାଳୟର ଓଏସ୍‍ଡି ଡଃ ପଦନ ଜେନା, ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର ଏବଂ କନିଷ୍ଠ ବିଭାଗରେ ଓଡ଼ିଶା ଲାଇଭ୍‍ ପୋର୍ଟାଲର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ ଦିଗଦର୍ଶକ ହରପ୍ରସନ୍ନ ଦାସ, ଦୂରଦର୍ଶନର ପ୍ରଯୋଜକ ତଥା କବି ଦିଲ୍ଲୀପ ସାହୁ ବିଚାରକ ଭାବେ ଯୋଗଦେଇଥିଲେ। ବିଚାରକମାନଙ୍କୁ ଅଙ୍ଗବସ୍ତ୍ର, ସ୍ମୃତିଚିହ୍ନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ପୋର୍ଟାଲ (www.samajalive.in)ରେ ଦିବସବ୍ୟାପୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।

କନିଷ୍ଠ ବିଭାଗ : ଶୁଭଲକ୍ଷ୍ମୀ ସାହୁ (ପ୍ରଥମ) , ସୁଶ୍ରୀ ଦୀକ୍ଷାନ୍ତିକା ମହାନ୍ତି (ଦ୍ବିତୀୟ) ବିଭୁପ୍ରସାଦ ତ୍ରିପାଠୀ (ତୃତୀୟ)

ପ୍ରତିଯୋଗିତା ଶେଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ବିଜେତାଙ୍କ ନାମ ଘୋଷଣା କରି କହିଲେ ଓଡ଼ିଆ ଭାଷାର ବ୍ୟବହାର ହେଲେ ଭାଷା ଆଗକୁ ବଢ଼ିବ। ଲୁକ୍‍କାୟିତ ପ୍ରତିଭାର ଉନ୍ମେଷ ପାଇଁ ‘ସମାଜ’ ପକ୍ଷରୁ ଏଭଳି ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଓଡ଼ିଆ ଭାଷା ବିଷୟରେ ସଚେତନ ହେବା ସହିତ ଶୁଦ୍ଧ ଓଡ଼ିଆ ବ୍ୟବହାର କରିବାକୁ ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରତିଯୋଗୀଙ୍କୁ ପରାମର୍ଶ ଦେଇଥିଲେ। ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଶିକ୍ଷା ମାଧ୍ୟମରେ ସଂସ୍କାର ଓ ସ୍ୱାଧୀନଚେତାର ସ୍ୱପ୍ନ ଦେଖିଥିଲେ ଗୋପବନ୍ଧୁ। ନିଶା ନିବାରଣ ଓ ବିଧବା ବିବାହ ପ୍ରଥା ଆରମ୍ଭ କରିବା ପାଇଁ ପ୍ରୟାସ କରି ଗୋପବନ୍ଧୁ ସମଗ୍ର ସମାଜ ପାଇଁ ଆଦର୍ଶ ସୃଷ୍ଟି କରିଥିଲେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଭବାନୀ ମିଶ୍ର ଉପସ୍ଥିତ ଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମକୁ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।

Leave A Reply