୧୬୦କିଲୋ ସୁନାରେ ଆଚ୍ଛାଦିତ ହେବ ସ୍ୱର୍ଣ୍ଣ ମନ୍ଦିରର ୪ଦ୍ୱାର

0

ଅମୃତସର: ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର ଅଧିକ ସ୍ୱର୍ଣ୍ଣିମ ହେବ। ଏହାର ଚାରି ପ୍ରବେଶ ପଥ ୧୬୦କିଲୋ ସୁନାରେ ଆଚ୍ଛାଦିତ ହେବ। ଏ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାରିଗର ସୁନା ଚଦର ପ୍ରସ୍ତୁତି କାମ ଶେଷ କରିବା ଉପରେ। ଏଥିପାଇଁ ପ୍ରାୟ ୫୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ମୁଖପାତ୍ର ଦଲଜିତ ସିଂହ ବେଦୀ। ବର୍ତ୍ତମାନ ସୁଦ୍ଧା ଏହି ପବିତ୍ର ପୀଠର ମୁଖ୍ୟ ମନ୍ଦିର ଭାବେ ପରିଚିତ ହରମନ୍ଦିର ସାହିବ(ପୋଖରି ମଧ୍ୟସ୍ଥ), ଅକଲ ତାଖତ୍‌ ଓ ଦର୍ଶନୀ ଦେଓଦି ବା ମୁଖ୍ୟ ପ୍ରବେଶ ପଥ ସ୍ୱର୍ଣ୍ଣ ଆଚ୍ଛାଦିତ ରହିଛି। ବର୍ତ୍ତମାନ ଘଣ୍ଟା ଘର ସହିତ ପ୍ରତି ଦ୍ୱାରର ଗମ୍ବୁଜାକୃତି ଛାତକୁ ସୁନା ଛାଉଣି କରିବା ପାଇଁ ୪୦କିଲୋ ଲେଖାଏଁ ସୁନା ବ୍ୟବହାର ହୋଇଛି। ଏହା ୨୨ଓ ୨୪କ୍ୟାରେଟ ସୁନାରେ ପ୍ରସ୍ତୁତ। ଏଥିପାଇଁ ଗତ ଏପ୍ରିଲରୁ ସୁନା ଚଦର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୧୦ରୁ ଊର୍ଦ୍ଧ୍ବ କାରିଗର କରସେବା (ମାଗଣା କାର୍ଯ୍ୟ) ମାଧ୍ୟମରେ ଏହି କାର୍ଯ୍ୟରେ ଲାଗିଥିବା ବେଦୀ କହିଛନ୍ତି।
ମହାରାଜା ରଞ୍ଜିତ ସିଂହଙ୍କ ଶାସନ ସମୟରେ ୧୯୨ ବର୍ଷ ପୂର୍ବେ ସ୍ୱର୍ଣ୍ଣ ମନ୍ଦିରକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଥିଲା। ମହାରାଜା ସେ ସମୟରେ ଏଥିପାଇଁ ୧୬ଲକ୍ଷ ୩୯ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ମହମ୍ମଦ ଖାଁ ନାମକ ଜଣେ ସ୍ୱର୍ଣ୍ଣ କାରିଗର କରସେବା ମାଧ୍ୟମରେ ଏହି କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ରଞ୍ଜିତ ସିଂହଙ୍କ ବଂଶଧରମାନେ ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ। ସେମାନେ ୬୪ ଲକ୍ଷ ୧୧ହଜାର ଟଙ୍କା ବ୍ୟୟ ପୂର୍ବକ ଅବଶିଷ୍ଟ ସୁନା ଚାଦର ବିଛାଇଥିଲେ ବୋଲି ‘ତ୍ୱାରିଖ ଶ୍ରୀ ଅମୃତସର’ ପୁସ୍ତକରେ ଉଲ୍ଲିଖିତ ରହିଛି। ୧୯୮୪ ବ୍ଲୁ-ଷ୍ଟାର ଅରେସନ୍‌ ସମୟରେ ସୁନା ଚଦରରୁ କିଛି ନଷ୍ଟ ହୋଇଯାଇଥିଲା। ଏହାକୁ ବଦଳାଇ ସାନି ସୁନା ଚଦର ବିଛାଇବା କାର୍ଯ୍ୟ ୧୯୯୫ରୁ ଆରମ୍ଭ ହୋଇ ୧୯୯୯ରେ ଶେଷ ହୋଇଥିଲା। ବ୍ରିଟେନ୍‌ର ଦୁଇଟି ଶିଖ୍‌ ସଂସ୍ଥା ଏ କ୍ଷେତ୍ରରେ ସହାୟତା କରିଥିଲେ।

Leave A Reply