ସର୍ବୋଚ୍ଚସ୍ତରରେ ସୁନା ଦର, ୧୦ ଗ୍ରାମକୁ ୩୮,୪୭୦ ଟଙ୍କା

ନୂଆଦିଲ୍ଲୀ : ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ, ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧିର ପ୍ରଭାବ ଭାରତୀୟ ଗହଣା ବଜାର ଉପରେ ପଡିଛି। ଭାରତୀୟ ଗହଣା ବଜାରରେ ସୋମବାର ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜର ଟଙ୍କା ପାର କରି ସର୍ବୋଚ୍ଚସ୍ତରରେ ରହିଛି। ତେବେ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି।

ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧରୁ ସେୟାର ବଜାରରେ ଅସ୍ଥିରତା ସୃଷ୍ଟି ହେବା ପରେ ନିବେଶକ ଏବେ ସୁରକ୍ଷିତ ବିକଳ୍ପ ଭାବେ ସୁନାରେ ନିବେଶ କରୁଛନ୍ତି। ଏହି କ୍ରମରେ ଭାରତୀୟ ନିବେଶକମାନେ ମଧ୍ୟ ସୁନାରେ ନିବେଶ କରୁଛନ୍ତି। ଫଳରେ ସୁନା ଦର ହୁ ହୁ ହୋଇ ବଢି ଚାଲିଛି।

ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ସୋମବାର ସୁନା ଦର ୫୦ ଟଙ୍କା ବୃଦ୍ଧି ପାଇଛି। ଏହି କ୍ରମରେ ୯୯.୯% (୨୪ କ୍ୟାରେଟ) ଶୁଦ୍ଧ ସୁନା ଦର ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୮,୪୭୦ ଟଙ୍କା ଥିବାବେଳେ ୯୯.୫% (୨୨ କ୍ୟାରେଟ) ଶୁଦ୍ଧ ସୁନା ଦର ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୮,୩୦୦ ଟଙ୍କା ରହିଛି। ଗିନ୍ନି ସୁନା ଦର ୮ ଗ୍ରାମ ପ୍ରତି ୨୮,୬୦୦ ଟଙ୍କା ରହିଛି। ଗତ ଶନିବାର ସୁନା ଦର ୯୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୩୮,୪୨୦ ଟଙ୍କାରେ ପହଞ୍ଚିଥିଲା। ଏହା ପୂର୍ବରୁ ଗତ ୫ ତାରିଖରେ ସୁନା ଦର ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୬,୯୭୦ ଟଙ୍କାରେ ରହିଥିଲା।
ତେବେ ରୁପା ଦର ୧,୧୫୦ ଟଙ୍କା ହ୍ରାସ ପାଇ କିଲୋପ୍ରତି ୪୩୦୦୦ ଟଙ୍କା ରହିଛି। ସାପ୍ତାହିକ ରୁପା ଦର କିଲୋପ୍ରତି ୪୩,୩୨୪ ଟଙ୍କାରେ ସ୍ଥିର ରହିଛି। ରୁପା ମୁଦ୍ରା ଦର ପ୍ରତି ୧୦୦ଟିକୁ ୮୯,୯୦୦ ଟଙ୍କା ରହିଛି।

Comments are closed.