ମେଜର ଗୋଗୋଇଙ୍କ ବିରୋଧରେ ସେନାର ନ୍ୟାୟିକ ତଦନ୍ତ ନିର୍ଦେଶ

0

ଶ୍ରୀନଗର : ହୋଟେଲରେ ଜଣେ ମହିଳାଙ୍କ ସହ ରହିବାକୁ ଦିଆନଯିବାରୁ ହୋଟେଲ କର୍ମଚାରୀଙ୍କ ସହ ଝଗଡ଼ା କରିବାକୁ ନେଇ ମେଜର ଲିତୁଲ ଗୋଗଇଙ୍କ ବିରୋଧରେ ସେନା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ସେନାଧ୍ୟକ୍ଷ ବିପିନ ରାୱତ ଶୁକ୍ରବାର କହିଛନ୍ତି ଯେ ମେଜର ଗୋଗୋଇ କୌଣସି ଦୋଷ କରିଥିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେନାଧ୍ୟକ୍ଷଙ୍କ ବୟାନ ପରେ ମେଜର ଗୋଗୋଇଙ୍କ ବିରୋଧରେ କୋର୍ଟ ଅଫ ଇନକ୍ୱାରୀ ବା ନ୍ୟାୟିକ ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ହିଁ କିଛି କହିହେବ ଓ ଦୋଷୀ ପାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ କାଶ୍ମୀରର ଜଣେ ଯୁବକକୁ ସେନା ଗାଡିର ବନେଟ୍‍ରେ ବାନ୍ଧିବା ପୂର୍ବକ ମାନବ ଢାଲର ଉପଯୋଗକୁ ନେଇ ଗତବର୍ଷ ମେଜର ଲିତୁଲ ଗୋଗୋଇ ଚର୍ଚ୍ଚାକୁ ଆସିଥିଲେ। ସୂଚନା ଅନୁସାରେ ଗତ ବୁଧବାର ଶ୍ରୀନଗରସ୍ଥିତ ହୋଟେଲ ଗ୍ରାଣ୍ଡ କର୍ମଚାରୀଙ୍କ ସହ ମେଜର ଗୋଗୋଇ ପାଟିତୁଣ୍ଡ କରିଥିଲେ। ମେଜର ଗୋଗୋଇ ସ୍ଥାନୀୟ ଜଣେ ମହିଳାଙ୍କ ସହ ହୋଟେଲରେ ରହିବା ଲାଗି କୋଠରି ବୁକ୍‍ କରିଥିଲେ। କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ କୋଠରିରେ ରହିବାକୁ ମନା କରିଦେଇଥିଲେ। ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହିତ ମେଜର ଗୋଗୋଇଙ୍କ ଝଗଡ଼ା ହୋଇଥିଲା। ଫଳରେ ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ଡାକିଥିଲେ। ପୁଲିସ୍‍ ପହଞ୍ଚି ମେଜର ଗୋଗୋଇଙ୍କ ଅଟକ ରଖିବା ପରେ ମହିଳାଙ୍କ ସହ ତାଙ୍କ ବୟାନ ରେକର୍ଡ କରି ଛାଡି ଦେଇଥିଲେ।

Leave A Reply