ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ, ୯ଗୁରୁତର

ଗୁମୁଲା (ଝାଡଖଣ୍ଡ) – ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଝାଡଖଣ୍ଡର ଗୁମଲା ଘାଘରା ଥାନା ଅନ୍ତର୍ଗତ ଚପରା କଠରଟୋଲି ଗ୍ରାମରେ ଘଟିଛି । ଖାଦ୍ୟରେ ବିଷ ପ୍ରକ୍ରିୟା(ଫୁଡ୍‌ ପଏଜନିଂ) ହେବାରୁ ଏପରି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଗ୍ରାମବାସୀମାନେ କ୍ଷେତରେ ଧାନ ଲଗାଉଥିଲେ । ଏହି ସମୟରେ ଏକ ଖାସି କୀଟନାଶକ ଖାଇ ମୃତ୍ୟୁ ବରଣ କରିଥିଲା ।

ରାତିରେ କିଛି ଗ୍ରାମବାସୀ ଏହାକୁ କାଟି ରୋଷାଇ କରି ଖାଇଥିଲେ । ଖାଇବାର ଅଳ୍ପ ସମୟ ପରେ ଅଧିକାଂଶ ଲୋକଙ୍କର ବାନ୍ତି ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପହଞ୍ଚିବା ବେଳେକୁ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ୨ ଜଣ ଏବେ ବି ଗୁରୁତର ଥିବା ସୂଚନା ମିଳିଛି ।

Comments are closed.