ଆମେରିକାରେ ଆନ୍ଦୋଳନକୁ ଓହ୍ଲାଇଲେ ଜେନେରାଲ ମୋଟର୍ସର ୪୯,୦୦୦ କର୍ମଚାରୀ

୧୨ ବର୍ଷରେ ଅଟୋମୋବାଇଲ କ୍ଷେତ୍ରର ବଡ଼ ଧର୍ମଘଟ

0

ୱାଶିଂଟନ : କମ୍ପାନୀ ସହ ଆଲୋଚନା ବିଫଳ ହେବା ପରେ ଆମେରିକାରେ ସୋମବାର ଅଗ୍ରଣୀ ଚାରି ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଜେନେରାଲ ମୋଟର୍ସ ବିରୋଧରେ ମିଳିତ ଅଟୋ କର୍ମଚାରୀ (ୟୁଏଡବ୍ଲ୍ୟୁ) ସଂଘ ଧର୍ମଘଟ ଆରମ୍ଭ କରିଛି। ଆମେରିକାର ୯ରାଜ୍ୟରେ ଥିବା ଜେନେରାଲ ମୋଟର୍ସ କମ୍ପାନୀର ୩୩ଟି ଗାଡ଼ି ନିର୍ମାଣକାରୀ ପ୍ଲାଣ୍ଟ, ୨୨ଟି ପୋଟର୍ସ ଡିର୍ଷ୍ଟୁବ୍ୟୁସନ ୱେୟର ହାଉସେସର ପାଖାପାଖି ୪୯,୦୦୦ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ୟୁଏଡବ୍ଲ୍ୟୁ ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି ଯେ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ସ୍ଥାନୀୟ ଶ୍ରମିକ ସଂଗଠନର ନେତାମାନେ ରବିବାର ରାତିରେ ଆନ୍ଦୋନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ କରୁଥିବା କର୍ମଚାରୀ ସଂଗଠନର ନେତାମାନେ ଏହା ତାଙ୍କର ଅନ୍ତିମ ପ୍ରୟାସ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଟ୍ୱିଟ୍‍ କରି କମ୍ପାନୀ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସଂଗଠନ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ଜେନେରାଲ ମୋଟର୍ସର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ୟୁଏଡବ୍ଲ୍ୟୁର ନେତାମାନେ ଆନ୍ଦୋଳନକୁ ଯିବା ପାଇଁ ନିଷ୍ପତ୍ତି ନେବା ଏକ ଦୁର୍ଭାଗ୍ୟଜନକ ଘଟଣା। କମ୍ପାନୀ ଶନିବାର ଆମେରିକା ପ୍ଲାଣ୍ଟର୍ସରେ ୭୦୦ କୋଟି ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲା। ଏବେ ଆମେରିକାର ଅଟୋ ମୋବାଇଲ କ୍ଷେତ୍ର ମାନ୍ଦାବସ୍ଥା ଦେଇ ଗତି କରୁଛି। ଫଳରେ ଅନେକ ଅଣକୁଶଳୀ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡୁଛି ଓ ଦରମା ବୃଦ୍ଧି ହେଉନାହିଁ। ଏପରିକି କର୍ମଚାରୀଙ୍କୁ ମିଳୁଥିବା ଅନେକ ସୁବିଧାକୁ କମ୍ପାନୀ ପ୍ରତ୍ୟାହାର କରିନେଇଛି। ଆମେରିକା ଅଟୋମୋବାଇଲ କ୍ଷେତ୍ରରେ ଏହା ହେଉଛି ୧୨ ବର୍ଷର ସବୁଠୁ ବଡ଼ ମାନ୍ଦାବସ୍ଥା। ଏହା ପୂର୍ବରୁ ୨୦୦୭ରେ ଅଟୋମୋବାଇଲ କ୍ଷେତ୍ରର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେତେବେଳେ ୭୩,୦୦୦ କର୍ମଚାରୀ ଆନ୍ଦୋଳ କରିଥିଲେ। ଏହାଦ୍ୱାରା କମ୍ପାନୀକୁ ପାଖାପାଖି ୩୦ କୋଟି ଡଲାର କ୍ଷତି ସହିବାକୁ ପଡିଥିଲା।

Leave A Reply