ଘସିପୁରାରେ ରାଜନୈତିକ ସଂଘର୍ଷ ମାମଲା

0

ଘସିପୁରା : ଘସିପୁରା ବସଷ୍ଟାଣ୍ଡରେ ଘଟିଥିବା ରାଜନୈତିକ ହିଂସା ଓ ବେଲବାହାଳିରେ ମନ୍ତ୍ରୀ ଗାଡ଼ି ଭଙ୍ଗା ଉଭୟ ମାମଲାରେ ଶନିବାର ଆନନ୍ଦପୁର ଉପକାରାଗାର କ୍ୟାମ୍ପ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା। ତେବେ ଏହି ମାମଲା ଗୁଡ଼ିକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଦେଢମାସ ହେବ କେନ୍ଦୁଝର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଥିବା ବେଳେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଅନୁଗତ ପୂର୍ବତନ ପୌରଉପାଧ୍ୟକ୍ଷ ସୁରେଶ ସାହୁ ଗତ ୭ଦିନ ହେବ ଆନନ୍ଦପୁର ଉପକାରାଗାରରେ ରହିଛନ୍ତି। ତେବେ ଏହି ଦୁଇ ନେତାଙ୍କୁ ଜାମିନ ଓ ଜେଲରୁ ମୁକୁଳିବା ନେଇ କର୍ମୀ ମାନେ ଚାହିଁ ବସିଥିବା ବେଳେ ଆଜି କେତେକ ମାମଲାର ଜାମିନ ଆବେଦନ ଶୁଣାଣି କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଓ ଘସିପୁରାରେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ସୁରେଶଙ୍କ ଜାମିନ ଆବେଦନର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ୍‍ ତାହାକୁ ଜାମିନ ମଂଜୁର କରିଛନ୍ତି। ସେପଟେ କିନ୍ତୁ ମନ୍ତ୍ରୀଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ୩ଟି ମାମଲାରେ ଦେବାଶିଷ ଗିରଫ ହୋଇଥିବା ବେଳେ ଗୋଟିଏରେ ତାଙ୍କୁ ପୁର୍ବରୁ ଜାମିନ ମିଳିଥିଲା। ତେବେ ପୂର୍ବତନ ପୌରଉପାଧ୍ୟକ୍ଷଙ୍କୁ ଆକ୍ରମଣ ମାମଲାର ଜାମିନ ଆବେଦନର ଶୁଣାଣି ହୋଇଥିଲା। ଏଥିପାଇଁ ସକାଳୁ ଦେବାଶିଷଙ୍କୁ କେନ୍ଦୁଝର ଜେଲରୁ ଆନନ୍ଦପୁର ଉପକାରାଗାର କ୍ୟାମ୍ପ କୋର୍ଟକୁ ଅଣାଯାଇଥିଲା। ଏଠାରେ ଅତିରିକ୍ତ ଜିଲା ଦୌରାଜଜ୍‍ ତାଙ୍କ ଜାମିନ ଆବେଦନର ଶୁଣାଣି କରି ଆସନ୍ତା ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Leave A Reply