ବିଜେପିରେ ମିଶିଲେ ଦୁଇ ନେତା: କଂଗ୍ରେସ ଓ ତୃଣମୂଳକୁ ବଡ ଝଟକା

0

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ନେତାମାନଙ୍କ ଦଳ ପରିବର୍ତ୍ତନ ଆରମ୍ଭ ହୋଇଯାଇଛି । ଗୁରୁବାର କଂଗ୍ରେସର ଦୁଇ ଜଣ ନେତା ପଦ୍ମ ଧରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଓ ମୁଖପାତ୍ର ଟମ ୱଡକ୍କନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଟମ ୱଡକ୍କନ କେରଳର ରୋମାନ କ୍ୟାଥୋଲିକ ସମ୍ପ୍ରଦାୟର ଥିଲେ ବୋଲି ଜଣାପଡିଛି । ଏହା ସହ ଟିଏମସି ବିଧାୟକ ଅର୍ଜୁନ ସିଂହ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ଟମ ୱଡକ୍କନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅତ୍ୟନ୍ତ ନିନ୍ଦନୀୟ ଥିଲା। ତାହା ମୋତେ ବହୁତ ଦୁଃଖ ପହଞ୍ଚାଇଥିଲା । ଯଦି କୌଣସି ରାଜନୈତିକ ଦଳ ଦେଶ ବିରୋଧରେ ଏଭଳି ମନ୍ତବ୍ୟ ଦେବ ତେବେ ସେହି ଦଳ ଛାଡିବା ବ୍ୟତିତ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ ।

ସୂଚନାଯୋଗ୍ୟ, ଟମ ୱଡକ୍କନ କେରଳର ତ୍ରିସୁର ଜିଲ୍ଲାରେ କଂଗ୍ରେସର ଜଣେ ବଡ ନେତା ଥିଲେ । ଏହା ସହ ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ରହିସାରିଛନ୍ତି । ବହୁ ବର୍ଷ ଧରି ସେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଥିଲେ ।

 

Leave A Reply