୪ ଆନ୍ତଃରାଜ୍ୟ ମାଫିଆଙ୍କୁ ପନ୍ଦର ବର୍ଷ ଜେଲ ସହ ୨ ଲକ୍ଷ ଜୋରିମାନା

0

ଫୁଲବାଣୀ,(ସ.ପ୍ର)କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର ଡବରବାଲି ଛକରେ ଧରାପଡିଥିବା ଚାରି ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଆଜି ଜିଲା କୋର୍ଟରେ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି କନ୍ଧମାଳ ଜିଲା ଦୌରା ଜଜ୍‍ ତଥା ସ୍ୱତନ୍ତ୍ର ଜଜ୍‍ ଜନାବ ମହମ୍ମଦ ଅଜମଲ ଛତିଶଗଡ ରାଜ୍ୟର ଚାରି ଜଣ ଗଞ୍ଜେଇ ମାଫିଆଙ୍କୁ ପନ୍ଦର ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି। ଏହା ସହିତ ମାନ୍ୟବର କୋର୍ଟ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଦୁଇ ବର୍ଷ ଅତିରିକ୍ତ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ବିଚାରପତି। ଦଣ୍ଡାଦେଶ ହୋଇଥିବା ଗଞ୍ଜେଇ ମାଫିଆ ହେଲେ ଛତିଶଗଡ ରାଇଗଡ ଜିଲା ବାରଖୁରିଆ ଗାଁର ଶେଖର ପ୍ରସାଦ ଯାଦବ,ଜାଜାପୁର ଜିଲା ପଥାଲଗାଁ ଥାନା ବୁଥୁରାଖଚାର ଗାଁର ଦୟାସାଗର ଯାଦବ,ବାଗବାହାରର ରାଜକୁମାର ଯାଦବ ଏବଂ ଲିଓଙ୍ଗ ଥାନା ସାହାନପୁରର ବନମାଳି ଯାଦବ।
କୋର୍ଟ ବିବରଣୀରୁ ପ୍ରକାଶ ଯେ ୨୦୧୬ ଫେବୃୟାରୀ ୧୪ ତାରିଖରେ ଫିରିଙ୍ଗିଆ ଡବରବାଲି ଛକରେ ଚଢାଉ କରିଥିଲା ପୁଲିସ। ଏଠାରେ ଥିବା ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିବା ବେଳେ ଚକିତ ହୋଇଯାଇଥିଲା ଫିରିଙ୍ଗିଆ ପୁଲିସ। ବୋଲେରୋର ଛାତରେ ଗଞ୍ଜେଇ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ ମାଫିଆ। ଦୁଇଟି ଛାତ କରି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ। ସେମାନଙ୍କ ଠାରୁ ଜବତ ୬୬ ପ୍ୟାକେଟରେ ୭୨ କିଲୋଗ୍ରାମ ସାତ ଶହ ଗ୍ରାମ ଗଞ୍ଜେଇ ଜବତ କରଥିଲା ପୁଲିସ।

Leave A Reply