ଏନ୍‌କାଉଣ୍ଟର ପରେ ଧରାପଡିଲା ଗଞ୍ଜେଇ ମାଫିଆ କାବୁଲ

ଜୟପୁର : ଅପରେସନ୍‍ ଗ୍ରିନ୍‍ ୨.୦ରେ ଜୟପୁର ପୁଲିସକୁ ବଡ ସଫଳତା ମିଳିଛି। ବୁଧବାର ରାତିରେ ଗଞ୍ଜେଇ ମାଫିଆ କାବୁଲ୍‍ ଖରା(୩୦) ସହ ପୁଲିସର ଗୁଳିବିନିମୟ ହୋଇଥିବା ବେଳେ ଆହତ ଅବସ୍ଥାରେ କାବୁଲକୁ ଗିରଫ କରାଯାଇଥିବା ଜୟପୁର ଏସ୍‍ଡିପିଓ ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ପ୍ରାୟ ୪ଟାରେ କାବୁଲ ଏକ କାରରେ ରାଞ୍ଚି-ବିଜୟୱାଡା କରିଡର ରାସ୍ତା ଦେଇ ହାତିସାଳ ଆଡେ ଯାଉଥିବା ପୁଲିସ ଖବର ପାଇଥିଲା। କୋରାପୁଟ ଏସପିଙ୍କ ଆଦେଶକ୍ରମେ ପୁଲିସର ଏକ ଟିମ୍‍ ହାତିସାଳ ଅଞ୍ଚଳରେ ଚଢାଉ କରିଥିଲେ। ଅପରାଧି କାବୁଲ୍‍ ପୁଲିସକୁ ଦେଖି ନିଜ ଗାଡିରେ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ତାଙ୍କ ଗାଡି କିଛି ଦୂରରେ ଖରାପ ହୋଇପଡିବାରୁ କାବୁଲ କାରରୁ ବାହାରି ନିଜ ମାଉଜରରୁ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସର ପାଲଟା ଜବାବରେ ଗୋଟିଏ ଗୁଳି କାବୁଲର ଡାହାଣ ଗୋଡରେ ବାଜିଥିଲା। ଏହାପରେ ପୁଲିସ ଅପରାଧି କାବୁଲକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଏକ ମାଉଜର, ଦୁଇଟି ଅଫୁଟା ଗୁଳିସହ ଖୋକା ଓ ଏକ ମୋବାଇଲ ଫୋନ ପୁଲିସ ଜବତ କରିଥିବା ଜଣାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି କାବୁଲ ନାମରେ ଜୟପୁର, ବୋରିଗୁମ୍ମା ସହ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। କାବୁଲ୍‍ ଗଞ୍ଜେଇ ଚାଲାଣ କରୁଥିବା ବିଭିନ୍ନ ଛୋଟବଡ ଗ୍ୟାଙ୍ଗକୁ ଚଲାଉଥିବା ଏବଂ ଅନେକ ଅପରାଧରେ ସାମିଲ ରହିଥିବା ପୁଲିସ ସୂଚନା ଦେଇଛି। ପୁଲିସ ୫ ବର୍ଷ ହେବ ଏହି ଫେରାର ଅପରାଧି କାବୁଲକୁ ଖୋଜୁଥିବା ବେଳେ ତାଙ୍କୁ ବୁଧବାର ଗରିଫ କରାଯାଇଥିବାରୁ ପୁଲିସକୁ ଏହା ଏକ ବଡ ସଫଳତା ବୋଲି କୁହାଯାଇଛି। ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଧି, ସଦର ଥାନା ଆଇଆଇସି ଧିରେନ କୁମାର ବେହେରା, ଏସ୍‍ଆଇ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.