ଗଞ୍ଜେଇ ଚାଷ ସପକ୍ଷରେ ତଥାଗତ; ଡିକ୍ରିମିନାଲାଇଜେସନ ପାଇଁ ଦାବି

ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଚାଷ ସପକ୍ଷରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ। ସେ କହିଛନ୍ତି ଯେ, ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି। କ୍ୟାନସର, ଶ୍ୱାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ। ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରିବାକୁ ସେ ଦାବି ରଖିଛନ୍ତି। ଓଡିଶାରେ ଗଞ୍ଜେଇ ଚାଷକୁ ସୀକୃତି ନମିଳିବା ଏହା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା ବୋଲି ତଥାଗତ କହିଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି ଯେ, ଗଞ୍ଜେଇ ଚାଷ ଅତି ସହଜ। ଏଥିପାଇଁ ବେଶି ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହୋଇ ପାରିବେ। ତେଣୁ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର। କଫ୍ ସିରଫ୍ ଖାଇ କିଛି ଯୁବକ ନିଶାଶକ୍ତ ହେଉଛନ୍ତି, ତେବେ କ’ଣ ରାଜ୍ୟ ସରକାର ତାହାକୁ ବନ୍ଦ କରି ଦେବେ ବୋଲି ତଥାଗତ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ ବୋଲି ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକ ପରେ ଅବକାରୀ ସଚିବ ଏହି ସୂଚନା ଦେଇଥିଲେ। ଗଞ୍ଜେଇରେ ଔଷଧୀୟ ଗୁଣ ଥିବାରୁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଆଇନ ବିଭାଗ ଏହି ପ୍ରସ୍ତାବକୁ ଖାରଜ କରିଛି। ଓଡିଶାରେ ଗଞ୍ଜେଇ ଚାଷକୁ ସ୍ବୀକୃତି ଦିଆଯିବ ନାହିଁ ବୋଲି ସଚିବ କହିଥିଲେ।

Comments are closed.