୧୦ କୁଇଣ୍ଟାଲ ଗ‌େଞ୍ଜେ‌ଇ ଜବତ, ୩ ଗିରଫ

0

ମାଲକାନଗିରି: ଅଭିନବ ଉପାୟରେ ଏଠାରୁ ହରିଆଣାକୁ ଚାଲାଣ ହେଉଥିଲା ୧୦ କୁଇଣ୍ଟାଲ ୪ କିଲୋଗ୍ରାମ ଗଞ୍ଜେଇ। ତେବେ ଚିତ୍ରକୋଣ୍ଡା ପୁଲିସ କୌଶଳକ୍ରମେ ସବୁ ଗଞ୍ଜେଇକୁ ରବିବାର ଜବତ କରିବା ସହ ଏହି ମାମଲାରେ ୩ ଜଣ ଅନ୍ତର୍ଜାତୀୟ ମାଫିଆଙ୍କୁ ଗିରଫ କରିଛି। ଗଞ୍ଜେଇ ଯାଉଥିବା କଣ୍ଟେନର ମଧ୍ୟ ଜବତ ହୋଇଛି। ଗିରଫ ମାଫିଆଙ୍କ ମଧ୍ୟରେ ହରିଆଣାର କୁଲଦୀପ, ରିଙ୍କୁ ଓ ପ୍ରଦୀପ କୁମାର ଅଛନ୍ତି।
ବାଲିମେଳା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସୂଚନା ଅନୁଯାୟୀ ଆନ୍ଧ୍ରର ଦାରାକୋଣ୍ଡା ଅଞ୍ଚଳରୁ ଏହି ଗଞ୍ଜେଇ ଚୋରାରେ ହରିଆଣା ଚାଲାଣ ହେଉଥିଲା। ଖବର ପାଇ ଭୋରରୁ ପୁଲିସ ଏହି କଣ୍ଟେନରକୁ ଅଟକ ରଖିଥିଲା। ଗାଡିର ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ ପଚାରିବା ପରେ ଏଥିରେ ଗଞ୍ଜେଇ ଥିବା ସ୍ୱୀକାର କରିଥିଲେ। ପରେ ପୁଲିସ ଗଞ୍ଜେଇ ସହ ଗାଡିକୁ ଜବତ କରିଥିଲା। ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୂଚନ ଯୋଗ୍ୟ, ମାଫିଆମାନେ ମାଓ ଅଧ୍ୟୁଷିତ ମାଲକାନବଗିରି ଜିଲାରେ ନିରୀହ ଆଦିବାସୀଙ୍କୁ ଢାଲ କରି ଗଞ୍ଜେଇ ଚାଷ ଏଠାରେ ଚଳାଇଛନ୍ତି। ଆଦିବାସୀଙ୍କଠାରୁ ଏହି ମାଫିଆମାନେ କମ୍‌ ମୂଲ୍ୟରେ ଏହାକୁ କିଣି ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ଫଳରେ ମାଫିଆମାନେ ମାଲାମାଲ ହେଉଛନ୍ତି। ମାଫିଆମାନେ ମାଓବାଦୀଙ୍କୁ ମଧ୍ୟ ମୋଟା ଅଙ୍କର ଅର୍ଥ ଦେଉଥିବା ଅଭିଯୋଗ ହେଉଛି। ପୁଲିସ ଓ ଅବକାରୀ ବିଭାଗ କିଛି ଅସାଧୁ କର୍ମଚାରୀ ଏ ଦିଗରେ ମାଫିଆଙ୍କୁ ସହଯୋଗ କରୁଥିବା ମଧ୍ୟ କୁହାଯାଉଛି। ଦୁର୍ଗମ ଅଞ୍ଚଳରେ ଖୁଲମ ଖୁଲା ଗଞ୍ଜେଇ ଚାଷ ହେଉଥିବା ବେଳେ ଆଦିବାସୀମାନେ ଉଭୟ ଗଞ୍ଜେଇ ବ୍ୟବସାୟ ଓ ଚାଷ ବେଆଇନ୍‌ ବୋଲି ସଚେତନ ମଧ୍ୟ ନାହାନ୍ତି। ଅଳ୍ପ ପରିଶ୍ରମରେ ୨ ପଇସା ଲାଭ ପାଉଥିବାରୁ ଏମାନେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଜିଲାରେ ବାର୍ଷିକ ୧୦୦ କୋଟି ଟଙ୍କାର ଗଞ୍ଜେଇ ଉତ୍ପାଦନ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହରିୟାଣା ଓ ଦିଲ୍ଲୀକୁ ଅନେକ ସମୟରେ ଏହା ଚାଲାଣ ହେଉଛି। ଆଗାମୀ ଦିନରେ ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗ ଏହି ଚାଷଙ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନ କରନ୍ତି ତେବେ ଆଦିବାସୀଙ୍କ ଏହା ନିତିଦିନିଆ ଚାଷ ପାଲଟିବ ଏଥିରେ ସନ୍ଦେହ ନାହିଁ ବୋଲି ଚର୍ଚ୍ଚା ହେଉଛି।

Leave A Reply