ଗାନ୍ଧୀ, ଗୋପବନ୍ଧୁ ଓ ଦୁଃଖିନୀ ଓଡ଼ିଶା

ଅହିଂସାର ପୂଜାରୀ, ମାନବିକତାର ଉଦ୍‍ଘୋଷକ ତଥା ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସମାଜ’ ପରିବାର ତରଫରୁ ବିନମ୍ର ପ୍ରତିବେଦନ… 

ସମଗ୍ର ଓଡ଼ିଶା ଜାତି ଗାନ୍ଧିଜୀଙ୍କୁ ନିଜର ଅମ୍ଲାନ ପବିତ୍ର ଆତ୍ମା ଭାବେ ଗ୍ରହଣ କରିନେଇଥିଲା। ୧୯୨୦ରୁ ୧୯୪୮ ଜାନୁୟାରୀ ୩୦ ମହାପ୍ରୟାଣ ପର୍ଯ୍ୟନ୍ତ ମହାତ୍ମାଙ୍କ ଆତ୍ମା ସହ ଓଡ଼ିଶାର ଜନମାନସ ଏକାକାର ହୋଇଗଲା। ଏହାର ଶ୍ରେୟ ଯିବ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କୁ। ସେ ଥିଲେ ଓଡ଼ିଶାରେ କଂଗ୍ରେସର ଭଗୀରଥ। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ସହ ଓତପ୍ରୋତଃ ଭାବେ ଓଡ଼ିଶାର ଜନଗଣଙ୍କୁ ଯୋଡ଼ିବାରେ ଗୋପବନ୍ଧୁ ଥିଲେ ଏକ ସେତୁ ସଦୃଶ। ସେ ସମ୍ପର୍କ ଏତେ ଗଭୀର ଥିଲା ଯେ, ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ମଧ୍ୟ ଗାନ୍ଧୀ ଦର୍ଶନ ଓଡ଼ିଶାର କୋଣଅନୁକୋଣକୁ ଅଚିରେ ବ୍ୟାପିଗଲା। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଭଳି ଉପନିବେଶବାଦ ବିରୋଧୀ ସଂଗ୍ରାମ ହେଉ କିମ୍ବା ନିଶା ନିବାରଣ, ଅସୃଶ୍ୟତା ନିବାରଣ ଭଳି ସାମାଜିକ ଆନ୍ଦୋଳନ ହେଉ, ଓଡ଼ିଶା ଦେଶର ଆଗୁଆ ରାଜ୍ୟ ହୋଇଗଲା ଏବଂ ଓଡ଼ିଶାବାସୀ ଗାନ୍ଧୀ ବିଚାରଧାରା ସହ ଏକାତ୍ମ ହୋଇଗଲେ।
ଗାନ୍ଧିଜୀଙ୍କ ଜନ୍ମ ଆଜିର ଗୁଜରାଟ ରାଜ୍ୟରେ ହୋଇଥିଲେ ମଧ୍ୟ ପରୀକ୍ଷାଗାର ସଦୃଶ ତାଙ୍କର କର୍ମଭୂମି ଥିଲା ଓଡ଼ିଶା। ପ୍ରେମ କରୁଣାର ଭୂମି ଓଡ଼ିଶାର ଜୀବନଦର୍ଶନରେ ପ୍ରଭାବିତ ହୋଇ ଗାନ୍ଧିଜୀ ଯୁଦ୍ଧ ବିଭୀଷିକାରେ ଭୀତତ୍ରସ୍ତ ଓ ବ୍ୟଥିତ ବିଶ୍ୱକୁ ଶାଶ୍ୱତ ଶାନ୍ତି ଓ ଅହିଂସାର ମନ୍ତ୍ର ପଢ଼ାଇଥିଲେ। ହିଟଲରଙ୍କୁ ଚିଠି ଲେଖି ଗାନ୍ଧିଜୀ ମାନବସମାଜ ହିତରେ ଯେଉଁ ସୁପରାମର୍ଶ ଦେଇଥିଲେ ତାକୁ ହିଟଲର ମାନି ନେଇଥିଲେ ନିଜର ଓ ନିଜ ଦେଶର ଦୟନୀୟ ପରାଜୟ ଓ ଧ୍ୱଂସକୁ ଏଡ଼ାଇ ପାରିଥା‌େନ୍ତ। ଆଜି ଜର୍ମାନରେ ହିଟଲରଙ୍କ ଅପେକ୍ଷା ଗାନ୍ଧିଜୀ ଅଧିକ ଆଦୃତ। ‘ପୃଥିବୀ ମାତା ତୁମର ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ, ତୁମର ଲାଳସାକୁ ନୁହେଁ।’ ଗାନ୍ଧିଜୀଙ୍କ ଏ ବାର୍ତ୍ତା ଜର୍ମାନ ସମେତ ସବୁ ବିକଶିତ ରାଷ୍ଟ୍ରର ଜନସାଧାରଣଙ୍କ ମନକୁ ଛୁଇଁଛି ଓ ଗାନ୍ଧିଜୀଙ୍କ ସରଳ ସ୍ୱଚ୍ଛଳ ସ୍ୱାଧୀନ ଜୀବନଯାପନ ଶୈଳୀ ସମସ୍ତ ଜ୍ଞାନୀ ଗୁଣୀ ସମାଜକୁ ଆକୃଷ୍ଟ କରୁଛି।
ପୀଡ଼ିତର ପୀଡ଼ାକୁ ମର୍ମେମର୍ମେ ଅନୁଭବ କରି ଭାବବିହ୍ୱଳ ହୋଇଯିବା‌େ‌ର ଉତ୍କଳମଣି ଥିଲେ ଅନୁପମ। ଗାନ୍ଧିଜୀଙ୍କ ପାଇଁ ସେ ଥିଲେ ମହତ ମଣିଷ। ତାଙ୍କ ଅକାଳ ବିୟୋଗରେ ଗାନ୍ଧିଜୀ କହିଛନ୍ତି ‘ଶୋକ ଓ ଅଶ୍ରୁର ଭୂମି ଓଡ଼ିଶାର ସନ୍ତାନମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଥିଲେ ମହତମ ବ୍ୟକ୍ତି। ମୁଁ ତାଙ୍କ ସମ୍ବନ୍ଧରେ ଓ ତାଙ୍କ ନିଷ୍କଳଙ୍କ ଚରିତ୍ର ଓ ଦୃଢ଼ତା ସମ୍ବନ୍ଧରେ ୧୯୨୦ ସାଲରେ ଅମୃତଲାଲ୍ ଠକ୍କରଙ୍କଠାରୁ ଶୁଣିଥିଲି। ଶ୍ରୀ ଠକ୍କର ଲେଖୁଥିଲେ କିପରି ଗୋପବନ୍ଧୁ ନିରାଶ୍ରୟଙ୍କୁ ସାହାଯ୍ୟ କରିବା ପାଇଁ ସାହସର ସହ ନାନା ଅସୁବିଧା ଓ ରୋଗର ସମ୍ମୁଖୀନ ହୋଇ କଷ୍ଟ ଉଠାଉଥିଲେ। ଅସହଯୋଗ ଆନ୍ଦୋଳନ ବେଳେ ସେ ଓକିଲାତି ଓ ବ୍ୟବସ୍ଥା ସଭାର ସଦସ୍ୟ ପଦ ଛାଡ଼ିଦେଲେ।…ସବୁଠାରୁ ବଡ଼ ତ୍ୟାଗ ହେଉଛି ତାଙ୍କର ପ୍ରିୟତମ ସୃଜନ ସତ୍ୟବାଦୀ ବିଶ୍ୱବିଦ୍ୟାଳୟକୁ ବାଜି ଲଗାଇବା। ….. ଗୋପବନ୍ଧୁଙ୍କ ମୃତ୍ୟୁରେ ଦେଶ ଆଜି ଦରିଦ୍ରତର। ସେ ଶରୀରରେ ଆମ ସହ ନଥିଲେ ବି ତାଙ୍କ ଆତ୍ମା ଆମ ଭିତରେ ଅଛି। ସେ ମହାନ ଆତ୍ମା ଓଡ଼ିଶା କର୍ମୀମାନଙ୍କୁ ପରିଚାଳନା କରୁ। …. ତାଙ୍କର ମୃତ୍ୟୁ ଚାରିଆଡ଼େ ବିକ୍ଷିପ୍ତ ଅଳ୍ପ ସଂଖ୍ୟକ କର୍ମୀଙ୍କ ମଧ୍ୟରେ ଏକତା ଆଣୁ।’
ଗୋପବନ୍ଧୁଙ୍କ ଅକାଳ ବିୟୋଗରେ ମହାତ୍ମା ଗାନ୍ଧୀ ମର୍ମାହତ ହେଲେ; କିନ୍ତୁ ଗୋପବନ୍ଧୁଙ୍କ ଓଡ଼ିଶାକୁ ଅନାଥ ହେବାକୁ ନ ଦେଇ ନିଜେ ପ୍ରତ୍ୟକ୍ଷ ଭାବେ ତା’ର ଦାୟିତ୍ୱ ନେଲେ ଓ ଦେଶସାରା ବୁଲିବୁଲି ଓଡ଼ିଶାର ଦାରିଦ୍ର୍ୟର କାରଣ ଓ ନିରାକରଣ ବିଷୟରେ ଲୋକଙ୍କୁ ବୁଝାଇଲେ। ବିଦେଶୀ ବସ୍ତ୍ର ବର୍ଜନ ଓ ଖଦିର ପ୍ରସାରଣ ବିଷୟରେ ସେ ସର୍ବତ୍ର ଓଡ଼ିଶାର ଉଦାହରଣ ଦେଉଥିଲେ।
୧୯୨୮ ଡିସେମ୍ବର ୨୨ ତାରିଖରେ ଗାନ୍ଧିଜୀ ପ୍ରଥମ ଥର ପାଇଁ ସମ୍ବଲପୁର ଅଞ୍ଚଳକୁ ଆସିଲେ। ମହାନଦୀ ବାଲିରେ ସାଧାରଣ ସଭାରେ ସେ ଭାବପ୍ରବଣ ହୋଇ କହିଲେ- ‘ଏ ସଂସାରରେ ମୋର ଯେତେଦିନ ବାକି ଅଛି ସେଥିରେ ଯେଉଁ କାମକୁ ମୁଁ ଫଳପ୍ରଦ ମଣୁଛି ସେହି ଖଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିବି।’ ସ୍ୱାଧୀନତା ସହ ଖାଦ୍ୟ ଓ ବସ୍ତ୍ରରେ ସ୍ୱାବଲମ୍ବନ ଓ ରୋଜଗାର କୌଶଳକୁ ସେ ଗୁରୁତ୍ୱ ଦେଉଥିଲେ। ଉତ୍କଳମଣିଙ୍କ ଅବର୍ତ୍ତମାନର ଗାନ୍ଧିଜୀ ଓଡ଼ିଶା ସହ ପ୍ରତ୍ୟକ୍ଷ ସଂପର୍କ ରଖିବାରେ ଅସଂଖ୍ୟ କର୍ମୀ ରଚନାତ୍ମକ କାମ କରିବାକୁ ଗାନ୍ଧିଜୀଙ୍କୁ ମିଳିଗଲେ। ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଡାକରା ଓଡ଼ିଶାରେ ଚମତ୍କାର ଭାବେ ପ୍ରତିଧ୍ୱନିତ ହେଲା। ଗୁଜରାଟ ପରେ ଏ ଆନ୍ଦୋଳନର ଦ୍ୱିତୀୟ ସ୍ଥାନରେ ଥିଲା ଓଡ଼ିଶା ଯଦିଓ ଏହା ସ୍ୱତନ୍ତ୍ର ପ୍ରଦେଶ ହୋଇନଥିଲା।
ପରବର୍ତ୍ତୀ ସମୟରେ ସାମାଜିକ ନ୍ୟାୟ ଓ ଏକତା ପାଇଁ ଗାନ୍ଧିଜୀ ଯେଉଁ ଅଭିଯାନ ଚଳାଇଲେ ସେଥିରେ ଓଡ଼ିଶା ଏକନମ୍ବର ରାଜ୍ୟ ହେଲା। ସମ୍ବଲପୁରରୁ ପୁରୀ ଯାତ୍ରା ଭିତରେ(୧୯୩୪ ମେ ମାସ ୫ରୁ୧୦) ଓ ପରବର୍ତ୍ତୀ ପଦଯାତ୍ରା(୧୯୩୪ ମେ ମାସ ୧୧ରୁ ବାଲିଅନ୍ତା ଦେଇ କଟକ ପର୍ଯ୍ୟନ୍ତ) ମଧ୍ୟରେ ଗାନ୍ଧିଜୀ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ସମନ୍ୱୟକୁ ଆହୁରି ସଶକ୍ତ କରିଦେଇଗଲେ। ପରବର୍ତ୍ତୀ ଯାତ୍ରାରେ କେନ୍ଦ୍ରାପଡ଼ା ଓ ବରୀ ଅଞ୍ଚଳର ବନ୍ୟା ପୀଡ଼ିତଙ୍କ ମନରେ ସେ ଅପୂର୍ବ ଉତ୍ସାହ ସୃଷ୍ଟି କରିଥିଲେ ଯାହା ଚିରନ୍ତନ ହୋଇ ରହିଯାଇଛି। ୧୯୩୪ ମସିହାରେ ଗାନ୍ଧିଜୀ ଓଡ଼ିଶାରେ ଅନେକ ଦିନ ରହି ଯାଇଥିଲେ ଓ ଜୁନ ଆଠ ତାରିଖରେ ଭଦ୍ରଖରୁ ଖଡ଼ଗପୁର ଯାଇଥିଲେ। ଅର୍ଥ ଅପେକ୍ଷା ଓଡ଼ିଶାବାସୀଙ୍କ ନିଷ୍କପଟ ଆନ୍ତରିକତା ତାଙ୍କୁ ଅଭିଭୂତ କରୁଥିଲା।
ଗାନ୍ଧିଜୀ ଏକ ସମୟରେ ଅନେକ ଶତ୍ରୁ ସୃଷ୍ଟି ନ କରିବାକୁ ପ୍ରଥମେ ଗଡ଼ଜାତ ଆନ୍ଦୋଳନକୁ ପ୍ରତ୍ୟକ୍ଷ ନେତୃତ୍ୱ ଦେଇ ନ ଥିଲେ, କିନ୍ତୁ ଓଡ଼ିଶାର ପ୍ରଜାମାନଙ୍କ ଯନ୍ତ୍ରଣା ମଧ୍ୟ ତାଙ୍କୁ ଅଛପା ନଥିଲା। ସାରଙ୍ଗଧର ଦାସ, ପବିତ୍ର ମୋହନ ପ୍ରଧାନ, ରାଧାନାଥ ରଥଙ୍କ ନେତୃତ୍ୱରେ ଗଡ଼ଜାତ ପ୍ରଜା ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସାରଙ୍ଗଧର ଦାସଙ୍କୁ ଲୋକେ ଶ୍ରଦ୍ଧାରେ ଗଡ଼ଜାତ ଗାନ୍ଧୀ ମଧ୍ୟ କହୁଥିଲେ। ଗୋପବନ୍ଧୁଙ୍କଠାରୁ ଆରମ୍ଭକରି ମାଳତୀ ଦେବୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେ ସମୟର କଂଗ୍ରେସ ନେତା ପ୍ରତ୍ୟକ୍ଷ ଭାବେ ଗଡ଼ଜାତର ସ୍ୱାଧୀନତା ଆନ୍ଦୋଳନ ସହିତ ଥିଲେ। ଗଡ଼ଜାତ ପ୍ରଜା ଆନ୍ଦୋଳନ ଭାରତର ଏକତାର ଏକ ମୁଖ୍ୟ ଆଧାର ବୋଲି ଗାନ୍ଧିଜୀ ଓଡ଼ିଶାର ଅନୁଭୂତିରୁ ଜାଣିଥିଲେ।
ଗାନ୍ଧିଜୀଙ୍କ ଦେଢ଼ଶହବର୍ଷ ଜନ୍ମ ଜୟନ୍ତୀ ଓ ‘ସମାଜ’ ପତ୍ରିକାର ଶତବାର୍ଷିକୀ ପାଳନ ଏଇ ବର୍ଷ ହେବା ଏକ ଅପୂର୍ବ ସଂଯୋଗ। ଉଭୟ ସର୍ବଭାରତୀୟ ଚରିତ୍ରର ହେଲେ ମଧ୍ୟ ନୀତି ଆଦର୍ଶ ସଂପର୍କ ଦୃଷ୍ଟିରୁ ଏକାନ୍ତ ଭାବେ ଓଡ଼ିଶାର। ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ବିନା ଭାରତ ବିଶ୍ୱ ଦରବାରରେ ଟାଣପଣ ଦେଖାଇବା ଅସମ୍ଭବ। ଗାନ୍ଧୀ ମଡେଲ ହିଁ ଓଡ଼ିଶା ଓ ଭାରତର ବିକାଶର ଅସଲ ଚାବି କାଠି। ଓଡ଼ିଶା ଗାନ୍ଧିଜୀଙ୍କ ସବାତଳ ସଂଜ୍ଞାରେ ପ୍ରଥମ ହୋଇଥିବାରୁ ଓଡ଼ିଶାର ବିକାଶର ଧାରା ହିଁ ଦେଶବିକାଶର ଅସଲ ଧାରା। ଓଡ଼ିଶା ଏକ ଗ୍ରାମଭିତ୍ତିକ ପ୍ରଦେଶ। ଗାନ୍ଧୀଙ୍କ ଭାଷାରେ ‘ଭାରତର ଆତ୍ମା ଗାଁରେ’ ଅର୍ଥାତ୍ ‘ଓଡ଼ିଶାରେ’। ତେଣୁ ଓଡ଼ିଶାର ସାମଗ୍ରିକ ବିକାଶ ସବୁରି ଲକ୍ଷ୍ୟ ଓ ଧେୟ ହେଉ। ଜନ ପ୍ରେମ ହିଁ ଅସଲ ଦେଶପ୍ରେମ।

ଶଶିଭୂଷଣ ବେହେରା

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ

Comments are closed.