ଗାନ୍ଧୀଙ୍କ ଦୃ​ଷ୍ଟିରେ ପ୍ରକୃତି ଓ ପରିବେଶ

ଅହିଂସାର ପୂଜାରୀ, ମାନବିକତାର ଉଦ୍‍ଘୋଷକ ତଥା ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସମାଜ’ ପରିବାର ତରଫରୁ ବିନମ୍ର ପ୍ରତିବେଦନ।

ଆଜି ପୃଥିବୀର ସବୁଠାରୁ ବଡ଼ ସଂକଟ ରୂପେ ଠିଆ ହୋଇଛି ବାୟୁମଣ୍ଡଳ ପରିବର୍ତ୍ତନର ସାଂଘାତିକ ପରିଣାମ। ଏବେ ମାନବ ସଭ୍ୟତା ପାଇଁ ବିଶ୍ୱତାପନ ବୃଦ୍ଧି ଏକ ଆହ୍ୱାନ। ବିଶ୍ୱର ହଜାରରୁ ଅଧିକ ବୈଜ୍ଞାନିକଙ୍କ ଗବେଷଣା ଓ ଅଧ୍ୟୟନ ପରେ ଜାତିସଂଘ ଦ୍ୱାରା ପ୍ରସ୍ତୁତ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଗତ ୨୦ ବର୍ଷ ଧରି ସତର୍କ କରାଇ ଆସୁଛି ଯେ ବିଶ୍ୱତାପନ ବୃଦ୍ଧିକୁ ହ୍ରାସ କରାନଗଲେ ପୃଥିବୀର ସ୍ଥାୟିତ୍ୱ ପ୍ରତି ବିପଦ ଅନିବାର୍ଯ୍ୟ। ପାଶ୍ଚାତ୍ୟ ଦେଶମାନଙ୍କର ବିଶେଷଜ୍ଞମାନେ ବାୟୁମଣ୍ଡଳ ପ୍ରତି ବିପଦର ମୁଖ୍ୟ କାରଣ ପ୍ରଚଳିତ ବିକାଶ ଢାଞ୍ଚା ଦାୟୀ ବୋଲି ସ୍ୱୀକାର କଲେଣି। ଏହି ପରିପ୍ରେକ୍ଷୀରେ ‘ଛୋଟ ହିଁ ସୁନ୍ଦର’ (ସ୍ମଲ୍ ଇଜ୍‌ ବ୍ୟୁଟିଫୁଲ୍‌) ବହିଟି ଗାନ୍ଧୀ ବିଚାରର ଏକ ପ୍ରତିଫଳନ ବୋଲି କହିଲେ ଭୁଲ୍‌ ହେବ ନାହିଁ।
ଆଜି ଏହି ଜଳବାୟୁ ପରିବର୍ତ୍ତନର ମୂଳକାରଣ ବିଶ୍ୱ ତାପନ। ଏହାର ପ୍ରତିକାର ପାଇଁ ଚିନ୍ତାକଲା ବେଳେ ମହାତ୍ମା ଗାନ୍ଧୀଙ୍କ ବିଚାର ଓ ସତର୍କବାଣୀ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ। ୧୯୦୯ରେ ଲିଖିତ ‘ହିନ୍ଦ୍ ସ୍ୱରାଜ’ରେ ଗାନ୍ଧିଜୀ ଭବିଷ୍ୟତ ମାନବ ସଭ୍ୟତାକୁ ନେଇ ଯେଉଁ ଦୃଷ୍ଟିଭଙ୍ଗୀ ରଖିଥିଲେ ତାର ଭିତ୍ତିଭୂମି ଥିଲା ଏକ ନ୍ୟାୟପୂର୍ଣ୍ଣ, ଶୋଷଣହୀନ ଓ ସମତା ସଂପନ୍ନ ସମାଜର ଆବଶ୍ୟକତା। ସେହି ସମାଜ କେବଳ ଅହିଂସା ଦ୍ୱାରା ସମ୍ଭବପର ବୋଲି ସେ ଦୃଢ଼ତାର ସହ କହୁଥିଲେ ଓ ସେଥିପାଇଁ ସତ୍ୟାଗ୍ରାହୀ ରୂପେ ସାଧନା କରୁଥିଲେ। ସେ ଏପରି ଏକ ଅର୍ଥନୀତିର ସ୍ୱପ୍ନ ଦେଖୁଥିଲେ ଯେଉଁଠି ହିଂସା ନ ଥିବ। ଏଠି ହିଂସାର ଅର୍ଥ ଶୋଷଣ, ଲୁଟ ଓ ଲୋଭ। ତେଣୁ ସେ କୃଷି ଅର୍ଥନୀତିକୁ ସବୁଠାରୁ ନ୍ୟୂନତମ ହିଂସାତ୍ମକ ଆର୍ଥିକ କ୍ଷେତ୍ର ବୋଲି ବିଶ୍ୱାସ କରୁଥିଲେ। ତାଙ୍କର ଅହିଂସକ କୃଷିରେ ରାସାୟନିକ ସାର ବା ବିଷର ପ୍ରୟୋଗ ଥିଲା ହିଂସା। ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ମାଟି, ପବନ, ବିଶୁଦ୍ଧ ଜଳ ଓ ବାୟୁକୁ ‘ସ୍ୱାସ୍ଥ୍ୟର ଚାବିକାଠି’ ବୋଲି ସେ କହିଥିଲେ, କିନ୍ତୁ ଶିଳ୍ପ ସଭ୍ୟତା ଏଗୁଡ଼ିକୁ ପଣ୍ୟ ଦ୍ରବ୍ୟରେ ପରିଣତ କରି ତାର ମୂଲ୍ୟଧାର୍ଯ୍ୟ କରିବାକୁ ବସିଛି।
ଏକଶତ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ଆରମ୍ଭରେ ଅହମ୍ମଦାବାଦ ସଭାରେ ଦେଶର ସ୍ୱାଧୀନତାର ଲକ୍ଷ୍ୟ ବୁଝାଇବାକୁ ଯାଇ ଗାନ୍ଧିଜୀ କହିଥିଲେ ଯେ ସ୍ୱାଧୀନ ଦେଶରେ ପ୍ରତ୍ୟେକ ନାଗରିକ ଅଧିକାରଭୁକ୍ତ ହେବ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ଜଳ, ଓ ଯଥେଷ୍ଟ ଖାଦ୍ୟ। ସ୍ୱାଧୀନତାର ୭୧ ବର୍ଷ ପରେ ବି ଆମ ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ପାଣି ଓ ଯଥେଷ୍ଟ ସ୍ୱାସ୍ଥ୍ୟକର ଖାଦ୍ୟ ସୁଲଭ ପ୍ରାପ୍ତ ହୋଇପାରି ନାହିଁ, ଯଦିଓ ଖାଦ୍ୟ ନିରାପତ୍ତା ଆଇନ ହୋଇଛି। ଯେଉଁ ନଦୀଗୁଡ଼ିକ ଜଳଧାରାରେ ପରିପୂର୍ଣ୍ଣ ଥିଲେ, ସେଗୁଡ଼ିକ ଆଜି ପ୍ରଦୂଷିତ ଓ ବିକାଶ ନାମରେ ବିନାଶର ଶରବ୍ୟ। ଯଦି ଗଙ୍ଗାଠାରୁ ମହାନଦୀ-ବ୍ରାହ୍ମଣୀ ପର୍ଯ୍ୟନ୍ତ ଦେଖିବା ସର୍ବତ୍ର ନଦୀ ପ୍ରତି ଅବିଚାର ବ୍ୟବହାର। ଜଳକୁ ଶୋଷିବା ସହ ଜଳକୁ ପ୍ରଦୂଷିତ କରାଯାଉଛି ବଜାରୀ ଅର୍ଥ ବ୍ୟବସ୍ଥାର ବିକାଶ ନାମରେ। ଖଣି ଖନନ, ଶିଳ୍ପୟନର ରାସାୟନିକ ତଥା ବିଷାକ୍ତ ବଜ୍ୟବସ୍ତୁଦ୍ୱାରା ଜଳ ସଂପଦ ରୋଗଗ୍ରସ୍ତ। ସେଇଥିପାଇଁ ‘ହିନ୍ଦ୍ ସ୍ୱରାଜ’ରେ ସତର୍କବାଣୀର ସତ୍ୟତା ଏବେ ପ୍ରମାଣିତ ହେଉଛି ଓ ସ୍ୱୀକୃତ ବି ହେଉଛି।
ଗାନ୍ଧିଜୀ ପଶ୍ଚିମ ତଥା ୟୁରୋପର ଶିଳ୍ପ ବିପ୍ଳବର ଅନ୍ଧାର ଦିଗନ୍ତକୁ ଖୁବ୍ ଚିନ୍ତାଜନକ ସମସ୍ୟା ରୂପେ ଦେଖିପାରିଥିଲେ। ବଜାରୀ ସଂସ୍କୃତି, ମୁନାଫା ତଥା ଅସୀମ ଲାଭରୁ ଲୋଭ ଓ ଭୋଗବାଦୀ ଜୀବନ ଶୈଳୀ ପ୍ରକୃତିର ଉପାଦାନଗୁଡ଼ିକୁ ଶୋଷି ଶେଷ କରିଦେବା ପରେ କେବଳ ମଣିଷ ସମାଜ ସଂବଳହୀନ ହୋଇଯିବନି, ଏହାଦ୍ୱାରା ବିଷମତାପୂର୍ଣ୍ଣ ସମାଜ ମାନବୀୟତା ହରାଇ ବସିବ। ଏହା ଥିଲା ତାଙ୍କରି ଆଶଙ୍କା। ସେଥିପାଇଁ ମାନବ ସଭ୍ୟତାର ସୁରକ୍ଷା ଓ ବିକାଶ ପାଇଁ ଅନ୍ଧ ଶିଳ୍ପାୟନର ଅନୁଗାମୀ ନ ହୋଇ ସ୍ୱାଧୀନ ଭାରତ ଏକ ସ୍ୱାବଲମ୍ବୀ, ସ୍ୱଦେଶୀ ଓ ସରଳ (ମିତବ୍ୟୟୀ) ଅର୍ଥ ବ୍ୟବସ୍ଥାକୁ ଅବଲମ୍ବନ କରିବାକୁ ‘ସ୍ୱରାଜ’ର ସ୍ୱପ୍ନ ଦେଖିଥିଲେ। ସେଇଥିପାଇଁ ତାଙ୍କରି ଅପରିଗ୍ରହତାର ବାର୍ତ୍ତା ଥିଲା ଆବଶ୍ୟକତାଠାରୁ ଅଧିକ ଭୋଗ କରିବା ଅନ୍ୟାୟ, ଅପରାଧ ଓ ହିଂସା। ତେଣୁ ସେ କହିଥିଲେ ‘ପୃଥିବୀରେ ପ୍ରକୃତି ପ୍ରତ୍ୟେକ ବ୍ୟକ୍ତି ପାଇଁ ଯଥେଷ୍ଟ ଦେଇଛି ସବୁଦିନ ପାଇଁ, କିନ୍ତୁ ଜଣକ ପାଇଁ ବି ଅତ୍ୟଧିକ ଭୋଗ କରିବା ପାଇଁ ନୁହଁ।’
ଜର୍ମାନର ଗୀନ୍ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ମିସ୍ ପେଟ୍ରା କେଲି କହିଥିଲେ ଯେ ପ୍ରକୃତିର ସୁରକ୍ଷା ପାଇଁ ମହାତ୍ମା ଗାନ୍ଧୀଙ୍କ ବିଚାର ଦ୍ୱାରା ପ୍ରେରିତ। ୨୦୦୭ ଏପ୍ରିଲ ୯ ତାରିଖର ‘ଦ ଟାଇମସ୍ ମାଗାଜିନ୍’ରେ ପ୍ରକାଶିତ ବିଶ୍ୱତାପନ ନିରାକରଣ ପାଇଁ ୫୧ଟି ଅନୁଶୀଳନ ମଧ୍ୟରେ ଥିଲା ଗାନ୍ଧୀ ବିଚାରର ପ୍ରତିଫଳନ ସରଳ, କମ ଦ୍ରବ୍ୟ ବ୍ୟବହାର ଓ ଅଧିକ ଭାଗୀଦାର।
ବିକାଶ ନାମରେ ଯେପରି ପୁଞ୍ଜି ଓ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଦୋହନ ଓ ଶୋଷଣ କରାଯାଉଛି, ତାହା ମଧ୍ୟ ବଡ଼ବଡ଼ ପୁଞ୍ଜିପତିମାନଙ୍କ ହାତରେ ପୁଞ୍ଜିର ଏକତ୍ରୀକରଣ ପାଇଁ। ତାର ଅବସାନ ପାଇଁ ବିକଳ୍ପ ଅର୍ଥ ବ୍ୟବସ୍ଥା ଏକାନ୍ତ ଜରୁରୀ। ଆଜି ପୃଥିବୀର ବିଭିନ୍ନ ଦେଶର ଶାସକମାନେ ବିଜ୍ଞାନର ସତ୍ୟତାକୁ ସ୍ୱୀକାର କରିବାକୁ ବାଧ୍ୟ ହେଉଥିଲେ ବି ବାସ୍ତବତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ବାସ୍ତବତା ହେଲା କର୍ପୋରେଟ ନିୟନ୍ତ୍ରିତ ଅର୍ଥ ଓ ରାଜନୀତିର କେନ୍ଦ୍ରବିନ୍ଦୁ ବିଶ୍ୱବଜାରର ଆଧିପତ୍ୟରୁ ନିଜନିଜ ଦେଶମାନଙ୍କୁ ମୁକ୍ତ କରି ଏକ ନିରନ୍ତର ବିକାଶ ଆଧାରିତ ପରସ୍ପର ସହଯୋଗୀ ଅର୍ଥବ୍ୟବସ୍ଥା ପାଇଁ ପଛକୁ ହଟିବାକୁ ହେବ। ଗତ ମେ ମାସରେ ପ୍ୟାରିସଠାରେ ବାୟୁମଣ୍ଡଳ ପରିବର୍ତ୍ତନର ରିପୋର୍ଟର ସମୀକ୍ଷା କରି ପ୍ରସ୍ତୁତ କରିଥିବା ମତାମତକୁ ବୈଜ୍ଞାନିକମାନେ ପ୍ରକାଶ କରି ସତର୍କ କରାଇଛନ୍ତି ଯେ ଫସିଲ ଫୁଏଲ ବ୍ୟବହାର ବନ୍ଦ କରିବାକୁ ହେବ, ସେଥିପାଇଁ ପ୍ରାକୃତିକ ସଂପଦ ବ୍ୟବହାର କରୁଥିବା ଶିଳ୍ପାୟନର ହ୍ରାସ କରିବାକୁ ହେବ।
ମହାତ୍ମା ଗାନ୍ଧୀଙ୍କ ଶତାଧିକ ବର୍ଷପୂର୍ବର ସତର୍କବାଣୀର ସତ୍ୟତା ଏବେ ଭବିଷ୍ୟତ ବଂଶଧର ପାଇଁ ଏକ ଉଭୟଙ୍କର ଧ୍ୱଂସର ପରିଦୃଶ୍ୟ ହୋଇଛି ବୈଜ୍ଞାନିକମାନଙ୍କ ଅଧ୍ୟୟନରେ। ଭବିଷ୍ୟତରେ ସୁରକ୍ଷା ପାଇଁ ଏକ ବର୍ଷ ହେଲା ସ୍ୱିଡେନର ସ୍କୁଲ ଛାତ୍ରୀ ଗ୍ରେଟା ଥନବର୍ଜଂକ ସତ୍ୟାଗ୍ରହ ଜରିଆରେ ସମଗ୍ର ବିଶ୍ୱର ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରି କହୁଛି ‘ଆମ ଭବିଷ୍ୟତକୁ ମାରି ଦିଅନି। ତୁମେ ବିଶ୍ୱର (ଅଭିଭାବକ ବରିଷ୍ଠ ନାଗରିକ, ସମାଜର ପ୍ରତିଷ୍ଠିତ ଶାସକ, ବୁଦ୍ଧିଜୀବୀ) କିଛି କଲ ନାହିଁ ବିନାଶକୁ ରୋକିବାକୁ। ଆମ ଘର (ପୃଥିବୀ) ଏବେ ନିଆଁ ଉପରେ। ନିଆଁକୁ ନିର୍ବାପିତ କରିବାକୁ ହେବ, ଏବେ ହିଁ କର।’ ଏହି ଡାକରାରେ ସେପ୍ଟେମ୍ବର ୨୦ ରୁ ୨୭ ଏକ ସପ୍ତାହ ପରିବେଶ ନ୍ୟାୟ ପାଇ ବିଶ୍ୱ ସତ୍ୟାଗ୍ରହରେ କୋଟିକୋଟି ଛାତ୍ରଛାତ୍ରୀ ସାମିଲ ହୋଇ ଡାକରା ଦେଉଛନ୍ତି – ‘ବିନାଶକାରୀ ବ୍ୟବସ୍ଥା ପରିବର୍ତ୍ତନ କରି ଭୋଗବାଦକୁ ବର୍ଜନ କରି ବିଶ୍ୱତାପ ବୃଦ୍ଧିରୁ ଧରିତ୍ରୀ ମା’କୁ ରକ୍ଷା କର।’ ୧୫୦ତମ ଜୟନ୍ତୀରେ ଗାନ୍ଧୀ ବିଚାର-ଦର୍ଶନର ପ୍ରାସଙ୍ଗିକତା ଓ ସତ୍ୟତା ଅଧିକରୁ ଅଧିକ ପ୍ରମାଣିତ ହେଉଛି। ପ୍ରକୃତି ଓ ମଣିଷ ମଧ୍ୟରେ ମିତ୍ରତା ବିଶ୍ୱକୁ ହିଂସାମୁକ୍ତ କରିପାରିବ।

ପ୍ରଫୁଲ୍ଲ ସାମନ୍ତରା
ଲୋହିଆ ଏକାଡେମୀ, ଭୁବନେଶ୍ୱର

Comments are closed.