ଗଜପତି ଜିଲାରେ ୩ ଦିନରେ ୩୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତରେ ଗାଲିମେରା ଓ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ଡେଙ୍କା ସିନ୍ଧବା  ନିକଟସ୍ଥ ଦୁର୍ଗମ ଘଞ୍ଚ ପାହାଡ ପରିବେଷ୍ଟିତ ଜଙ୍ଗଲ ଜମିରୁ ୩ଦିନ ଭିତରେ  ବେଆଇନଭାବେ ଚାଷ କରାଯାଇଥିବା  ପ୍ରାୟ ୩୦ କୋଟି ଟଙ୍କାର ଗଞ୍ଜେଇ ଗଛ ଅବକାରୀବିଭାଗ ଓ ପୁଲସ ମିଳିତ ଭାବେ ଚଢ଼ାଉ କରି  ନଷ୍ଟ କରିଛନ୍ତି।

ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତରେ ଗାଲିମେରା ନିକଟସ୍ଥ ଦୁର୍ଗମ ଘଞ୍ଚ ପାହାଡ ପରିବେଷ୍ଟିତ ଜଙ୍ଗଲ ଜମିରେ ବେଆଇନ ଭାବେ  ୭୪ ଏକର ପାହାଡିଆ ଜମିରେ ଲଗାଯାଇଥିବା ୧ ଲକ୍ଷ ୪୮ ହଜାର ଗଞ୍ଜେଇ ଗଛକୁ ବୁଧବାର ଅଡବା ପୁଲିସ, ଅବକାରୀ ବିଭାଗ ରା.ଉଦୟଗିରି ଓ ପାରଳାଖେମୁଣ୍ଡିଙ୍କ ମିଳିତ ଉଦ୍ୟମରେ କଟର ମେସିନ ସାହାର୍ଯ୍ୟରେ ଗଛ ଗୁଡିକୁ କାଟି ପୁଡି ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ମୋହନା ତହସିଲଦାର କଲ୍ୟାଣି ସଂଘ ମିତ୍ରା ଦେବୀ ଉପସ୍ଥିତ ଥିଲେ। ଅଡବା ଭାରପ୍ରାପ୍ତ ଥାନାଧିକାରୀ ଆଲୋକ ରଞ୍ଜନ ଜଗଦଲା ଏହି ଚଢାଉରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେହିପରି   ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ  ବଡସିନ୍ଧବା ପଞ୍ଚାୟତ ନିକଟ ଡେଙ୍କା ସିନ୍ଧବା ଜଙ୍ଗଲଜମିରେ ବେଆଇନଭାବେ ଚାଷ କରାଯାଇଥିବା ୮୩ ଏକର ପରିମିତ ଜମିରେ ୧ ଲକ୍ଷ ୬୬ ହଜାର ଗଞ୍ଜେଇ ଗଛକୁ ସୋମବାର ମୋହନା ପୁଲିସ, ଅବକାରୀ ବିଭାଗ, ବନବିଭାଗ ଓ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ସ୍କାଡ ଟିମ୍‍ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଥିଲେ। ଏହି ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ୧୬ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଥିଲେ। ଏହି ଚଢାଉରେ ମୋହନା ଥାନା ଅଧିକାରୀ ସୂଜିତ କୁମାର ନାୟକ, ଅବକାରୀ ନିରୀକ୍ଷକ ସୁରୀ ବାବୁ, ବନବିଭାଗ ଅଧିକାରୀ ମମତା ନାୟକଙ୍କ ସମେତ ଥାନା, ଅବକାରୀ, ବନ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Comments are closed.