ପଞ୍ଚାୟତ ମାଧ୍ୟମରେ ଭତ୍ତାପାଇଁ ଧାରଣା

ମୋହନା: ଗଜପତି ଜିଲା ମୋହନା ବ୍ଳକର ଚୁଡୁଙ୍ଗପୁର ଗ୍ରାମପଞ୍ଚାୟତରେ ଶୁକ୍ରବାର ସକାଳ ୧୦ ଟା ସମୟରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ବିକଳାଙ୍ଗ, ବିଧବା, ବୃଦ୍ଧ ଓ ବୃଦ୍ଧା. ମାନସିକ ବିକଳାଙ୍ଗ ବ୍ୟକ୍ତି ଏବଂ ବିଭିନ୍ନ ଭତ୍ତାଧାରୀ ପୁରୁଷ ଓ ମହିଳା ପଞ୍ଚାୟତ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସେମାନେ ଦୀର୍ଘଦିନ ଧରି ପଞ୍ଚାୟତର ପି.ଓ ଙ୍କ ମାଧ୍ୟମରେ ମାସିକ ଭତ୍ତା ସୂଚାରୁ ରୂପେ ପାଇ ଆସୁଥିଲେ, କିନ୍ତୁ ବର୍ତମାନ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଭତ୍ତା ପାଉଥିବା ହିତାଧିକାରୀମାନେ ନିଜ ନିଜର ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ଦିଆଯିବା ଜାଣିବାକୁ ପାଇଥିଲେ। ଏହାର ବିରୋଧ କରି ସିଆଳିଲଟି, ଝରଣପୁର, ପାଲକୁଆ, ବେସରୀଗୁଡା, ଗୁମିଗୁଡା, ଚୁଡୁଙ୍ଗପୁର, ବଦାକୁଆ ଗ୍ରାମର ହିତାଧିକାରୀମାନେ ବ୍ୟାଙ୍କ ଦ୍ୱାରା ଭତ୍ତା ପାଇବାକୁ ବିରୋଧ କରି ଧାରଣା ଦେଇଥିବାର ଜଣାଯାଏ। ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋହନାଙ୍କ ଅବଗତ ନିମନ୍ତେ ଏକ ଦରଖାସ୍ତ ସରପଞ୍ଚଙ୍କ ଅନୂପସ୍ଥିତିରେ ଗ୍ରାମ୍ୟ ରୋଜଗାର ସେବକ ମନୋଜ କୁମାର ପରିଡାଙ୍କୁ ଲିଖିତ ଆକାରରେ ଅବଗତ କରାଇଛନ୍ତି। ସେମାନଙ୍କ ଗ୍ରାମ ପାଖରେ ବ୍ୟାଙ୍କର ବ୍ୟବସ୍ଥା ନଥିବା ଯୋଗୁଁ ଚନ୍ଦ୍ରଗିରି, ମୋହନା, ଚାନ୍ଦିପୁଟ ଯିବାକୁ ପଡିଥାଏ। ଯାହାକି ସେମାନଙ୍କ ଗ୍ରାମଠାରୁ ୪୦ ରୁ ୫୦ କି.ମି ଦୂର ରହିବ। ଯହାଦ୍ବାରା ସମୟ ଅପଚୟ ହେବା ସହିତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଅଛି। ଏଣୁ ଏହି ବ୍ୟବସ୍ଥାକୁ ଚାଲୁ କରାନଯାଇ ପୂର୍ବଭଳି ପଞ୍ଚାୟତ ମାଧ୍ୟମରେ ଦେବା ପାଇଁ ଆଦିବାସୀ ନେତା ଆର୍ସିଗ ଗମାଙ୍ଗ ଦାବି କରିଛନ୍ତି।

Comments are closed.