୧୦୪ ପୃଷ୍ଠାର ରିପୋର୍ଟ ଦେଲେ ତଦନ୍ତ କମିଶନ

0

ଭୁବନେଶ୍ୱର : କନ୍ଧମାଳ ଜିଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିଶନ ଶନିବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କନ୍ଧମାଳ ଜିଲା ଓ ଦୌରା ଜଜ ଜନାବ ମହମ୍ମଦ ଅଜମଲ ଗୃହ ବିଭାଗକୁ ଏ ସଂକ୍ରାନ୍ତ ୧୦୪ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦେଇଛନ୍ତି।
୨୦୧୬ ମସିହା ଜୁଲାଇ ୮ ତାରିଖରେ ଘଟିଥିବା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ସରକାର କନ୍ଧମାଳ ଜିଲା ଓ ଦୌରା ଜଜ ଜନାବ ମହମ୍ମଦ ଅଜମଲ କମିଶନଙ୍କୁ ଜୁଲାଇ ୨୨ ତାରିଖରେ ନିଯୁକ୍ତି ଦେଇଥିଲେ। ୨୦୧୭ ଏପ୍ରିଲରେ କମିଶନ ଶୁଣାଣି ଆରମ୍ଭ କରିଥିଲେ। ତଦନ୍ତ କମିଶନ ୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ସାକ୍ଷ୍ୟ ଏବଂ ସତ୍ୟପାଠକୁ ନେଇ ୧୦ ମାସ ମଧ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଚଳିତମାସ୨୦ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହାର ଅବ୍ୟବହିତ ପୂର୍ବରୁ କମିଶନ ରିପୋର୍ଟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬ ମସିହା ଜୁଲାଇ ୮ ତାରିଖରେ ବାଲିଗୁଡ଼ା ନିକଟସ୍ଥ ଗୁମୁଡୁମାହାରେ ଏସଓଜି ଯବାନମାନେ ମାଓ ଦମନ ପାଇଁ ବାହାରିଥିଲେ। ଏହି ସମୟରେ ବାଲିଗୁଡ଼ାରୁ ଏକ ଅଟୋ ରିକ୍ସାରେ ଫେରୁଥିବା ଆଦିବାସୀଙ୍କୁ ମାଓବାଦୀ ସନ୍ଦେହ କରି ଏସଓଜି ଯବାନମାନେ ଗୁଳି ଚଳାଇଥିଲେ। ଅଟୋରେ ଥିବା ଆଦିବାସୀଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply