ଆସନ୍ତାକାଲିଠାରୁ ୨ଦିନିଆ ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକ : ଜାପାନ ଅଭିମୁଖେ ପୀୟୁଷ ଗୋୟଲ୍‍

ନୂଆଦିଲ୍ଲୀ : ଜାପାନର ସୁକୁବା ନଗରୀରେ ଆସନ୍ତାକାଲି(ଶନିବାର)ଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବାଣିଜ୍ୟ ଓ ଡିଜିଟାଲ୍‍ ଅର୍ଥନୈତିକ ଜି-୨୦ ମନ୍ତ୍ରୀସ୍ତରୀୟବୈଠକରେ ଯୋଗ ଦେବାପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍‍ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ଶୁକ୍ରାବାର ରାତିରେ ସେ ଜାପାନ୍‍ ଅଭିମୁଖେ ଯାତ୍ରା କରିବେ। ସେଠାରେ ଶ୍ରୀ ଗୋୟଲ୍‍ ବିଶ୍ୱ ବାଣିଜ୍ୟ ପରିସ୍ଥିତି, ବିଶ୍ୱ ବାଣିଜ୍ୟ ସଙ୍ଗଠନ ସଂକ୍ରାନ୍ତ ପ୍ରସଙ୍ଗ ଏବଂ ଡିଜିଟାଲ୍‍ ବାଣିଜ୍ୟ କ୍ଷେତ୍ରରେ ବିକାଶ ଉପରେ ଆଲୋଚନା କରିବେ। ସାମ୍ପ୍ରତିକ ଅନ୍ତର୍ଜାତୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ବିଷୟ ଉପରେ ସେ ଅଂଶଗ୍ରହଣକାରୀ ବାଣିଜ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

ଜି-୨୦ ବାଣିଜ୍ୟ ମନ୍ତ୍ରୀମାନଙ୍କର ଏହି ଆଲୋଚନା ହେଉଛି ଜି-୨୦ ଶୀର୍ଷ ନେତାମାନଙ୍କ କାର୍ଯ୍ୟସୂଚୀର ଅଂଶ ଏବଂ ଏହି ଆଲୋଚନାକୁ ଜି-୨୦ ଶୀର୍ଷ ଘୋଷଣାନାମାରେ ସ୍ଥାନିତ କରାଯିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି, ବାଣିଜ୍ୟ ଓ ପୁଞ୍ଜିନିବେଶ ସଂକ୍ରାନ୍ତରେ ଭାରତର ପ୍ରକୃତ ସ୍ୱାର୍ଥ ଏବଂ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥରକ୍ଷା ଲାଗି ସମ ମନୋଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ କରିବା ଉପରେ ଦ୍ୱିପକ୍ଷ ବୈଠକ କରିବେ। ଡିଜିଟାଲ୍‍ ଅର୍ଥନୀତିର ବିକାଶଦ୍ୱାରା ଜି-୨୦ ରାଷ୍ଟ୍ରଗୁଡ଼ିକ କିଭଳି ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ବିକାଶ କରିପାରିବେ ଏବଂ ସର୍ବାଧିକ ଉପକାର ପାଇପାରିବେ, ସେ ବିଷୟରେ ଆଲୋଚନା କରିବା ଲାଗି ପ୍ରଥମ ଥରପାଇଁ ଜି-୨୦ ଇତିହାସରେ ସୁକୁବା ନଗରୀରେ ୫୦ରୁ ଊର୍ଦ୍ଧ୍ବ ବାଣିଜ୍ୟ ଓ ଡିଜିଟାଲ୍‍ ଅର୍ଥମନ୍ତ୍ରୀମାନେ ଯୋଗ ଦେଉଛନ୍ତି।

Comments are closed.