ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ

କଟକ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ନେତ୍ରୀ ସୁମିତ୍ରା ଚୌଧୁରୀ(୯୫)ଙ୍କର ରବିବାର ପୂର୍ବାହ୍ଣ ୧୧ଟାରେ ବାଖରାବାଦସ୍ଥିତ ବାସଭବନରେ ପରଲୋକ ଘଟିଛି। ଏଥିସହ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ନିଭାଇଥିବା ଐତିହାସିକ ଚୌଧୁରୀ ପରିବାରର ଶେଷ ସଂଗ୍ରାମୀଙ୍କ ସ୍ବର ଲିଭିଯାଇଛି। ତାଙ୍କ ମରଶରୀରକୁ ବାଖରାବାଦସ୍ଥିତ ବାସଭବନରେ ସାଇତା ରଖାଯାଇଛି। ଆମେରିକାରେ ରହୁଥିବା ତାଙ୍କ ପୁତ୍ରବଧୂ ଆରତି ଚୌଧୁରୀ ଓ ହାଇଦ୍ରାବାଦରେ ରହୁଥିବା କନ୍ୟା ମାଧବୀ ଦାସ ପହଞ୍ଚିିବା ପରେ ଆସନ୍ତାକାଲି ଶେଷକୃତ୍ୟ କରାଯିବ। ମରଶରୀରକୁ ଶୋଭାଯାତ୍ରାରେ କର୍ମକ୍ଷେତ୍ର ଥୋରିଆସାହିସ୍ଥିତ ଗୁଣନିଧି ଭବନକୁ ନିଆଯିବା ସହ ସହର ପରିକ୍ରମା କରାଯାଇ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଡ. ବିଶ୍ୱଜିତ ସୂଚନା ଦେଇଛନ୍ତି।
ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ଅଗ୍ରଣୀ ନେତ୍ରୀ, ସମାଜସେବୀ, ସୁଲେଖିକା, ସୁସଂଗଠିକା, ପତ୍ରିକା ସମ୍ପାଦିକା, ତଥା ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମହିଳା ଭାବେ ସେ ସୁପରିଚିତ ଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ସମୟରେ ସେ କସ୍ତୁରବା ଟ୍ରଷ୍ଟରୁ ଇସ୍ତଫା ଦେଇ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଯୋଗଦେଲେ। ସେ ‘ସେବା ସମିତି’ ଓ ଗ୍ରାମସେବକ ସମବାୟ ପ୍ରେସ୍‍ର ସଂପାଦିକା ଭାବରେ କାର୍ଯ୍ୟ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସର୍ବୋଦୟ ପତ୍ରିକାରେ ମୁଖ୍ୟ ସଂପାଦିକା ରହିଥିଲେ। ସେ ‘ଉତ୍କଳ ଗାନ୍ଧୀ ସ୍ମାରକ ନିଧି’ର ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ବ କାଳ ସଭାନେତ୍ରୀ ଭାବରେ କାର୍ଯ୍ୟ ସଂପାଦନ କରିଥିଲେ। ଏଥିସହ ସେ ‘ହିନ୍ଦ୍‍ ସ୍ୱରାଜ ଅଭିଯାନ ଟ୍ରଷ୍ଟ’ର ସଭାନେତ୍ରୀ ଓ ‘ରାଷ୍ଟ୍ରୀୟ ଯୁବା ସଂଗଠନ’ର ଉପଦେଷ୍ଟା ଥିଲେ। ଜନ୍‍ ହୋଲ୍ଟଙ୍କ ଇଂରାଜୀ ପୁସ୍ତକର ଅନୁବାଦ ‘ପିଲାଏ ଶିଖନ୍ତି କିପରି’, ଅନ୍ୟ ଏକ ଇଂରାଜୀ ପୁସ୍ତକର ଅନୁବାଦ ‘ଅଦ୍ଭୁତ ଭିକ୍ଷୁ’ ଓ ବଙ୍ଗଳାରୁ ‘ଗାନ୍ଧୀଜୀଙ୍କ ଜୀବନ କଥା’ ଉଲ୍ଲେଖ ଯୋଗ୍ୟ। ସୁମିତ୍ରା ଚୌଧୁରୀ ତାଙ୍କର କର୍ମ ଦକ୍ଷତା ଓ ନିଷ୍ଠା ନିମନ୍ତେ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ। ତନ୍ମଧ୍ୟରେ ଗୋପବନ୍ଧୁ ରମାଦେବୀ ସମ୍ମାନ, କସ୍ତୁରବା ସ୍ମୃତି ସମ୍ମାନ, ରାଷ୍ଟ୍ରୀୟ ଯୁବା ସଂଗଠନ ସମ୍ମାନ, ସେବା ସୁବର୍ଣ୍ଣ ସମ୍ମାନ, ଓଡ଼ିଶା ନାରୀ ସେବା ସଂଘର ଗାନ୍ଧୀ ଗ୍ଲୋବାଲ୍‍ ଆୱାର୍ଡ଼, ଶ୍ରୀନଗର ଓ ଜାମ୍ମୁ କାଶ୍ମୀର ସମ୍ମାନ ସଂଗ୍ରାମୀ ମା’ ସମ୍ମାନ, ମହାମାୟା ପଟ୍ଟନାୟକ ସ୍ମୃତି ସମ୍ମାନ ଆଦି ତାଙ୍କ କୃତିର ସ୍ୱୀକୃତି ସ୍ମାରକୀ ବହନ କରୁଛି।
ପ୍ରାୟ ୨ ବର୍ଷ ହେବ ଅସୁସ୍ଥତା କାରଣରୁ ସେ ବାହାରକୁ ଯାଇପାରୁନଥିଲେ। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ଅମିତାଭ ବାନାର୍ଜୀ, ଭଣଜା ଡ. ଜ୍ଞାନଦେବ ମହାରଣା, ଡ. କର୍ମଦେବ ମହାରଣା, ଭାଣିଜୀ ବୋହୂ ଡ. ସ୍ୱପ୍ନା ମହାପାତ୍ରଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ବେହେରା, ଊର୍ମିଳା ସାହୁ, ପ୍ରହ୍ଲାଦ ସିହ୍ନା, ଡଲି ଦାସ, ସର୍ବୋଦୟ ନେତା ଡ. ବିଶ୍ୱଜିତ, ଭଗବାନ ନାଥ, କାଙ୍ଗାଳି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଖବର ପାଇ ବିଧାୟକ ଇଂ. ମହମ୍ମଦ ମୋକିମ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ଗୋକୁଳାନନ୍ଦ ଦାସ, ଶିକ୍ଷାବିତ ଡ. ବୀରେନ୍ଦ୍ର ନାୟକ, ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତି, କ୍ଷୀରୋଦ ରାଉତ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, କାର୍ଯ୍ୟକାରୀ ସଭାପତି ଡ. ସତ୍ୟ ରାୟ, ସିପିଏମ୍‍ ନେତା ରବି ମଲ୍ଲିକ, ସଂଯୋଜକ ଜୟନ୍ତ କୁମାର ଦାସ, ଶୈଳଜ ରବି, ସିଦ୍ଧାର୍ଥ ରଥ, ରବି ଦାସ, ଡାକ୍ତର ଜେ. ପି. ଦାସ, ଗାୟତ୍ରୀ ଦେବୀ, ଶିଶିର ଦାସ, ଯୁଗଳ କିଶୋର ନାୟକ, ଖଗେଶ୍ୱର ସେଠୀ, ସଂଗ୍ରାମୀ ଫୋରମର ସମ୍ପାଦକ ପ୍ରଶାନ୍ତ ଦାସ ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିଥିଲେ।
ସ୍ବର୍ଗତ ଚୌଧୁରୀଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ସାଧାରଣ ସମ୍ପାଦକ ତଥା ‘ସମାଜ’ ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ‘ସମାଜ’ର ପରିଚାଳନା ମଣ୍ଡଳୀର ସାଧାରଣ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରପ୍ରତି ସମବେଦନା ଜଣାଇଛନ୍ତି। କଟକ ନାଗରିକ ମହାସଭାର ସଭାପତି ଡାକ୍ତର ରବିରଞ୍ଜନ ସାହୁ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।
ସୁମିତ୍ରା ଚୌଧୁରୀ ୧୯୨୪ ନଭେମ୍ବର ୧୫ରେ ବଙ୍ଗ ପ୍ରଦେଶର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଭୂତିଭୂଷଣ ବନ୍ଦୋପାଧ୍ୟାୟ ଓ ମାତାଙ୍କ ନାମ ସୁଧାନନୀ ଦେବୀ। ସେ ନଦିଆ ଜିଲାର କ୍ରିଷ୍ଣନଗର କଲେଜରୁ ବି.ଏସ୍‍.ସି ପାସ୍‍ କରିଥିଲେ। କଲେଜ ଛାତ ଉପରେ ଭାରତର ଜାତୀୟ ପତାକା ଉଡ଼ାଇବା ପାଇଁ ସେ ଲଢେଇ କରିଥିଲେ। ଝିଅ ହୋଇଥିବାରୁ କଲେଜରୁ ବହିଷ୍କୃତ ନହୋଇ ଅଧ୍ୟକ୍ଷଙ୍କ ଦ୍ୱାରା ସେ ଭର୍ତ୍ସିତା ହୋଇଥିଲେ। ତାଙ୍କ ପିତା ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ପରେ ଅଧିକ ଶିକ୍ଷା ପାଇଁ ସୁମିତ୍ରାଙ୍କୁ ଗାନ୍ଧୀଜୀଙ୍କ ମହାରାଷ୍ଟ୍ରସ୍ଥିତ ସେବାଗ୍ରାମ ଆଶ୍ରମକୁ ପଠେଇ ଦିଆଗଲା। ଗାନ୍ଧୀଜୀଙ୍କ ସେବାଗ୍ରାମରେ ସୁମିତ୍ରା ଗାନ୍ଧୀଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ। ସେଠାରେ ତାଙ୍କର ପରିଚୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ପୁତ୍ର ମନମୋହନ ଚୌଧୁରୀଙ୍କ ସହ। ସେଠାରେ ଗୋପବନ୍ଧୁ ଚୌଧୁରୀଙ୍କ ସାନଭାଇ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ଉତରା ମଧ୍ୟ ଥିଲେ। ସେ ଥିଲେ ସୁମିତ୍ରାଙ୍କ ପରମ ବାନ୍ଧବୀ। ଏହି ସବୁ ସମ୍ପର୍କ ମଧ୍ୟରେ ମନମୋହନଙ୍କ ସହ ସୁମିତ୍ରାଙ୍କର ବିବାହ ହୋଇଥିଲା। ନବଦମ୍ପତି ଗାନ୍ଧୀଜୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
ଏହି ବିବାହରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର ଓ ନବକୃଷ୍ଣ ଚୌଧୁରୀ ଯୋଗ ଦେଇଥିଲେ। ସେତେବେଳେ ଗୋପବାବୁଙ୍କ ପରିବାର ଯାଜପୁର ଜିଲାର ବରୀରେ ଅବସ୍ଥାନ କରୁଥିବାରୁ ବଳଦ ଗାଡିରେ ଆଚାର୍ଯ୍ୟ ହରିହରଙ୍କ ସହ ସେ ସେଠାକୁ ଯାଇଥିଲେ। ଦୁଇ ପରିବାରରେ ଆଦର୍ଶଗତ ଯଥେଷ୍ଟ ସାମ୍ୟ ରହିଥିଲେ ମଧ୍ୟ ଭାଷା, ଚଳଣି, ପରିବେଶରେ ଆସାମଞ୍ଜସ୍ୟ କିଛି କମ୍‍ ନଥିଲା। ଆଗରୁ ସେଥିପାଇଁ ପ୍ରସ୍ତୁତ ଥିଲେ ସୁମିତ୍ରା। ପରିବାରର ସ୍ନେହ ସହଯୋଗ ମଧ୍ୟରେ ଆରମ୍ଭ ହେଲା ତାଙ୍କର ନୂତନ ଜୀବନ।