ଦୁଇମୁଠା ଖାଦ୍ୟ ପାଇଁ ସଂଘର୍ଷରତ ସଂଗ୍ରାମୀଙ୍କ ପରିବାର

0

ମାଲକାନଗିରି : ଦିନକ ପରେ ସ୍ୱାଧୀନତା ଦିବସ। ଦେଶବ୍ୟାପୀ ଏହି ଦିବସକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ। ତେବେ ଯେଉଁମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତା ଦିବସ ପାଳନ କରୁଛେ ସେମାନଙ୍କ ପରିବାର ଗୁଡ଼ିକ ମଧ୍ୟରୁ ଆଜି ସ୍ୱାଧୀନତାର ୭୧ବର୍ଷ ପରେ ଦୁଇମୁଠା ଖାଇବା ପାଇଁ ସଂଗ୍ରାମ କରୁଛନ୍ତି ଜଣେ ସ୍ୱାଧିନତା ସଂଗ୍ରାମୀଙ୍କ ପତ୍ନୀ। ତାହା ପୁଣି ମାଓ ପ୍ରବଣ ମାଲକାନଗିରି ଜିଲା ଖୋଦ୍‍ ସଦର ମହକୁମାରେ।
ଏଠାରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଛନ୍ତି। ଘରେ ତାଙ୍କ ସହ ଅସହାୟ ଅବସ୍ଥାରେ ପଡ଼ି ରହିଛି ଭେଣ୍ଡିଆ ପୁଅ। ଏମାନଙ୍କ ଭାର ମୁଣ୍ଡାଇଛି ସ୍ୱାଧୀନତା ସଂଗ୍ରାମୀଙ୍କ ୧୨ବର୍ଷୀୟା ନାତୁଣୀ। ଦେଶର ସ୍ୱାଧୀନତା ଇତିହାସରେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାର ପ୍ରମୁଖ ଭୂମିକା ଥିଲା। ଏ ମାଟିର ମହାନ ଯୋଦ୍ଧା ସହିଦ୍‍ ବୀର ଲକ୍ଷ୍ମଣ ନାୟକଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ଅନେକ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ। ଅନେକ କାରାବରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ସଦର ମହକୁମା ବୋଇଲାପାରି ଗ୍ରାମର ସମାରୁ ଦୁରୁଆ। ଲକ୍ଷ୍ମଣ ନାୟକଙ୍କ ଭଳି ଜଣେ ମହାନ୍‍ ବିପ୍ଲବୀ ସହୀଦ ନେତାଙ୍କ ଅସହଯୋଗ ଆନ୍ଦୋଳନ ଓ ଗୋରା ଶାସନ ବିରୋଧରେ ସହଯୋଗ କରି ଆହୁରି ବହୁ
ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିବାବେଳେ ମାଲକାନଗିରି ସଦର ମହକୁମା ବୋଇଲାପାରି ଗ୍ରାମର ସମାରୁ ଦୁରୁଆ ଲଖ୍ମଣ ନାୟକଙ୍କ ସହ ୧୯୪୨ମସିହାରେ ଏହି ସଂଗ୍ରାମୀଙ୍କ ଜଣେ ସହଯୋଗୀ ଭାବେ ବେଶ୍‍ ଜଣାଶୁଣା ଥିଲେ। ଦେଶକୁ ଗୋରା ସରକାରଙ୍କ କବଳରୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ସମାରୁଙ୍କ ବଳିଦାନ ଅବର୍ଣନୀୟ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ତତ୍କାଳୀନ ମାନ୍ଦାଜ୍‍ ପ୍ରସେଡେନ୍ସିର ମାଲକାନଗିରିର ମାଥିଲି ଥାନାରେ ଗୋରା ପୁଲିସଙ୍କ ଉପରେ ଆକ୍ରମଣ କରି ଗୁଳିମାଡ଼ରେ ଗୁରୁତର ହୋଇଥିଲୋ ପରେ ଜେଲ ମଧ୍ୟ ଯାଇଥିଲେ। ତାଙ୍କୁ ବ୍ରହ୍ମପୁରରେ ଚିକିତ୍ସା ପରେ ଜେଲ୍‍ରେ ରଖାଯାଇଥିଲା। ଗୋଡ଼ରେ ଗୁଳି ବାଜି ଗୋଟିଏ ଗୋଡ଼ ଅକାମୀ ହୋଇଯାଇଥିବା ବେଳେ ସ୍ୱାଧୀନତା ସଂଗ୍ରାମର ଏହି ମହାନ ସଂଗ୍ରାମୀ ନେତାଙ୍କ ପରିବାର ଆଜି କିନ୍ତୁ ଉପେକ୍ଷିତ। ତାଙ୍କ ପତ୍ନୀ ସମାରି ଦୁରୁଆ ଆଜି ଦୁଇଓଳି ଦୁଇମୁଠା ଖାଇବା ପାଇଁ ସଂଗ୍ରାମ କରୁଛନ୍ତି। ସରକାରୀ ସାହାଯ୍ୟ କହିଲେ କେବଳ ଇନ୍ଦିରା ଆବାସ ଘର ତାହା ବି ଭଗ୍ନ ଅବସ୍ଥାରେ। ମାସିକ ତିନିଶହ ଟଙ୍କା ଭତ୍ତା। ଏଭଳି ସ୍ଥିତିରେ ରୋଗିଣା ପୁଅ ଘରେ ରହିଛି। ନିଜର ଗୋଟିଏ ମାତ୍ର ଝିଅ ମୃତ୍ୟୁ ପରେ ଜ୍ୱାଇଁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ୧୨ବର୍ଷର ନାତୁଣୀ ଭାମୀ ମାଡ଼କାମୀଙ୍କ ଉପରେ ଏବେ ମାମୁଁ ଓ ଆଈର ବୋଝ।
ସମାରୀଙ୍କ ବୟସ ପାଖାପାଖି ନବେ ଛୁଇଁଲାଣି। ସ୍ୱାମୀ ବଞ୍ଚିଥିବା ଯାଏଁ ମାସିକ ୩ହଜାର ଟଙ୍କା ସଂଗ୍ରାମୀ ଭତ୍ତା ମିଳୁଥିଲା। କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା। ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସଂଗ୍ରାମୀ ଭତ୍ତା ପାଇଁ ଗ୍ରାମବାସୀ ସରପଞ୍ଚ ଜିଲାପାଳ, ଭୁବନେଶ୍ୱର ସଂସ୍କୃତି ବିଭାଗ ମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଦୀର୍ଘବର୍ଷ ହେଲା ବର୍ଷବର୍ଷ ଧରି ଦରଖାସ୍ତ ନିବେଦନ କରିଥିଲେ ସୁଦ୍ଧା ନା ପ୍ରଶାସନ ନା ରାଜନେତା କେହି ମଧ୍ୟ ସମାରୀର ଦୁଃଖ ବୁଝିପାରିଲେ ନାହିଁ। ତେବେ ୧୨ ବର୍ଷର ନାତୁଣୀ ଭାମୀ ମାଡ଼କାମୀ ବାର ଦୁଆର କାମ କରି ମାମୁଁ ଓ ଆଈଙ୍କୁ ଦୁଇ ଓଳି ଦୁଇ ମୁଠା ରାନ୍ଧି ଖାଇବାକୁ ଦେଉଛି। ସ୍ମୃତିର ସୁରକ୍ଷା ଓ ସଂଗ୍ରାମୀଙ୍କ ଦାୟାଦ ଓ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଥିବାବେଳେ ସମାରୀ ସବୁ ଯୋଜନାରୁ ବଞ୍ଚିତ ହେଲେ କିପରି। ଅନ୍ୟପକ୍ଷରେ ପରିବାରର ବୋଝ ବୋହୁଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ତାଙ୍କ ୧୨ବର୍ଷୀୟା ନାତୁଣୀ ମୁଣ୍ଡରୁ ପ୍ରଶାସନ କଷ୍ଟର ବୋଝ ଓହ୍ଲାଇପାରୁଛି ନା ତାକୁ ପୁଣି ଯନ୍ତ୍ରଣା ଜର୍ଜରିତ ଜୀବନକୁ ଠେଲି ଦେଇ ଶ୍ରମିକ ସଜାଇ ଦେଉଛି ତାହା ସମୟ ହିଁ କହିବ।

Leave A Reply