ପୂର୍ବତନ କ୍ରିକେଟର ମାଧବ ଆପ୍‌ତେଙ୍କ ପରଲୋକ

ମୁମ୍ବଇ: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ମାଧବ ଆପ୍‌ତେଙ୍କ ପରଲୋକ ଘଟିଛି। ସୋମବାର ସକାଳ ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍‌ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ତାଙ୍କ ପୁଅ ବାମନ ଆପ୍‌ତେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମାଧବ ଭାରତୀୟ କ୍ରିକେଟ ଟିମ୍‌ର ଓପନର ଏବଂ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଥିଲେ। ସେ ତାଙ୍କ କ୍ୟାରିୟରରେ ୭ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳି ୫୪୨ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ୧ ଶତକ ମଧ୍ୟ ରହିଛି। ସେ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ପ୍ରଥମ ଖେଳାଳି ଥିଲେ। ୧୯୫୩ରେ ମାଧବ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ୪୬୦ ରନ୍‌ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୭ ମ୍ୟାଚରୁ ୩୩୩୬ ରନ୍‌ ସଂଗ୍ରହ କରିଥିଲେ।

Comments are closed.