ସଙ୍କଟରେ ମହାମେଣ୍ଟ: ଟିଡିପିକୁ ମିଳିଥିବା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ

0

ହାଇଦରାବାଦ : ତେଲଙ୍ଗାନାରେ କ୍ଷମତା ଦଖଲ ପାଇଁ କଂଗ୍ରେସ-ଟିଡିପି-ଟିଜେଏସ୍‍ କରିଥିବା ମହାମେଣ୍ଟରେ ସଙ୍କଟ ଦେଖାଯାଇଛି। ବିଧାନସଭା ନିର୍ବାଚନରେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍) ବିରୋଧରେ ଏକଜୁଟ୍‍ ହୋଇଥିବା ମହାମେଣ୍ଟ ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲା। ମହାମେଣ୍ଟ ଗଠନ ପରେ କଂଗ୍ରେସ, ଚନ୍ଦ୍ରବାବୁ ନାଇଡୁଙ୍କୁ ଟିଡିପି ଓ ତେଲଙ୍ଗାନା ଜନ ସମିତି (ଟିଜେଏସ୍‍) ମଧ୍ୟରେ ଆସନ ବୁଝାମଣା ହୋଇଥିଲା। ଆସନ ବୁଝାମଣା ଅନୁଯାୟୀ ତେଲଙ୍ଗାନା ବିଧାନସଭାର ୧୧୯ଟି ଆସନରୁ କଂଗ୍ରେସ ୯୪ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରାଯାଇଥିବାବେଳେ ଟିଡିପିକୁ ୧୪ ଓ ଟିଜେଏସ୍‍କୁ ୧୧ଟି ଆସନ ଦିଆଯାଇଥିଲା। ତେବେ ଟିଡିପି ଓ ଟିଜେଏସ୍‍କୁ ଦିଆଯାଇଥିବା ଆସନରେ ଏବେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ବିଦ୍ରୋହୀ ପ୍ରାର୍ଥୀଙ୍କ ଲାଗି କଂଗ୍ରେସ ଏହାର ବି’ ଫର୍ମ ପ୍ରଦାନ କରିଛି। ଯଦ୍ଦ୍ୱାରା ସେମାନେ ଦଳୀୟ ଚିହ୍ନରେ ଲଢିବାକୁ ହକ୍‍ଦାର ହେବେ। ରାଙ୍ଗାରେଡ୍ଡି ଜିଲାର ଇବ୍ରାହିମ୍‍ ପାଟନା ଆସନରେ କଂଗ୍ରେସ ଏହାର ପୂର୍ବତନ ବିଧାୟକ ଏମ ଆର ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି। ଏହି ଆସନଟି ଟିଡିପିକୁ ଦିଆଯାଇଥିଲା। ଟିଡିପି ଏହି ଆସନରେ ଦଳୀୟ ପ୍ରାର୍ଥୀ ସାମା ରାଙ୍ଗା ରେଡ୍ଡିଙ୍କୁ ଟିକଟ ଦେଇଥିଲା। ସେହିପରି ପାଟାନଚେରୁ ଆସନରେ କଂଗ୍ରେସରୁ କାଟା ଶ୍ରୀନିବାସ ଗୌଡଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନଟି ମଧ୍ୟ ଟିଡିପିକୁ ଦିଆଯାଇଥିଲା। ଏହିପରି ଭାବେ କଂଗ୍ରେସ ମେଣ୍ଟ ସହଯୋଗୀଙ୍କୁ ମିଳିଥିବା ୬ଟି ଆସନରେ ନିଜର ପ୍ରାର୍ଥୀ ଦେଇଛି। ଫଳରେ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଛି।

Leave A Reply