ଚୀନ୍‍ ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‍ ଖେଳିବ ଭାରତ

0

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଭାରତ ଓ ଚୀନ୍‍ ସିନିୟର ପୁୁରୁଷ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳାଯିବ। ୨୦୧୯ ଏସିଆନ୍‍ କପ୍‍ ନିମନ୍ତେ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସର୍ବଭାରତୀୟ ଫୁଟବଲ ମହାସଂଘ ଏହି ମ୍ୟାଚ୍‍ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲା। ଏହାକୁ ଚୀନ୍‍ ଫୁଟବଲ ଆସୋସିଏସନ୍‍ ଗ୍ରହଣ କରିଛି।
ବିଶ୍ୱ ମାନ୍ୟତାର ୯୭ନଂରେ ଥିବା ଭାରତ ବେଜିଂ ଯାଇ ୭୫ନଂରେ ଥିବା ଚୀନ୍‍ ବିପକ୍ଷରେ ମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ କେଉଁ ତାରିଖରେ ଖେଳାଯିବ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଅକ୍ଟୋବର ୮ରୁ ୧୬ ମଧ୍ୟରେ ମ୍ୟାଚ୍‍ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ତେବେ ସର୍ବଭାରତୀୟ ଫୁଟବଲ ମହାଂସଘ ଏହି ମ୍ୟାଚ୍‍ ଅକ୍ଟୋବର ୧୩ରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଭାରତ ଓ ଚୀନ୍‍ ଦଳ ପରସ୍ପର ସହ ୧୭ଟି ମ୍ୟାଚ୍‍ ଖେଳିଥିବା ବେଳେ ଶେଷଥର ଦୁଇ ଦଳ ୧୯୯୭ରେ କୋଚିରେ ଖେଳାଯାଇଥିବା ନେହେରୁ କପ୍‍ରେ ମୁହାଁମୁହିଁ ହୋଇଥିଲେ। ସୂଚନାଥାଉକି କିଛିଦିନ ତଳେ ୧୬ ବର୍ଷରୁ କମ୍‍ ଭାରତୀୟ ଫୁଟବଲ ଦଳ ଚୀନ୍‍ ଗସ୍ତରେ ଯାଇ ସେଠାରେ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା। ଭାରତ ଓ ଚୀନ୍‍ ସିନିୟର ପୁରୁଷ ଦଳ ମଧ୍ୟରେ ଖେଳାଯାଇଥିବା ୧୭ଟି ମ୍ୟାଚ୍‍ ମଧ୍ୟରୁ ଚୀନ୍‍ ୧୨ଟିରେ ବିଜୟୀ ହୋଇଥିବା ବେଳେ ବାକି ୫ଟି ମ୍ୟାଚ୍‍ ଡ୍ର ରହିଥିଲା। ଭାରତ ଓ ଚୀନ୍‍ ମଧ୍ୟରେ ଫୁଟବଲ ମ୍ୟାଚ୍‍ ଆୟୋଜିତ ହେବାକୁ ଯାଉଥିବାରୁ ସର୍ବଭାରତୀୟ ଫୁଟବଲ ମହାଂସଘର ସାଧାରଣ ସମ୍ପାଦକ କୁଶଳ ଦାସ ଖୁସିବ୍ୟକ୍ତ କରିବା ସହ ଉଭୟ ଦଳ ମଧ୍ୟରେ ମ୍ୟାଚ୍‍ ବେଶ୍‍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିପରି ଏହି ମ୍ୟାଚ୍‍ ଆୟୋଜନକୁ ନେଇ ଭାରତୀୟ ସିନିୟର ଫୁଟବଲ ଦଳର ପ୍ରଶିକ୍ଷକ ଷ୍ଟିଫେନ୍‍ କନ୍‍ଷ୍ଟାଣ୍ଟାଇନ୍‍ ସନ୍ତୋଷବ୍ୟକ୍ତ କରିଛନ୍ତି।

Leave A Reply